ଭୁବନେଶ୍ୱର: ଗଞ୍ଜାମ ବନ୍ୟାକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ଜୋର୍ ଧରିଥିବା ବେଳେ ମୁହଁ ଖୋଲିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ବନ୍ୟା ପାଇଁ ସରକାରଙ୍କ ପରିଚାଳନାରେ କୌଣସି ତ୍ରୁଟି ନଥିବା ସେ ସ୍ପଷ୍ଟ କରିଛନ୍ତି। ଅତ୍ୟଧିକ ଓ ଅସ୍ୱାଭାବିକ ବର୍ଷା ଯୋଗୁଁ ଗଞ୍ଜାମରେ ବନ୍ୟା ସ୍ଥିତି ଉପୁଜିଥିବା ସେ କହିଛନ୍ତି।
ବୁଧବାର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ୟା ସ୍ଥିତି ନେଇ ସରକାରଙ୍କ ପକ୍ଷ ରଖିଥିଲେ ମୁଖ୍ୟ ଶାସନ ସଚିବ। ଗଞ୍ଜାମ ବନ୍ୟାକୁ ନେଇ ବିରୋଧୀଙ୍କ ଅଭିଯୋଗ ମଧ୍ୟରେ ମୁଖ୍ୟ ଶାସନ ସଚିବଙ୍କ ଏହି ସ୍ପଷ୍ଟୀକରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଗୋଟିଏ ଦିନରେ ୫୪୬ ମିମି ବର୍ଷା
ଅନୁ ଗର୍ଗ କହିଛନ୍ତି, ଗଞ୍ଜାମରେ କ୍ରମାଗତ ୩ ଦିନ ଧରି ଅତି ପ୍ରବଳ ବର୍ଷା ହୋଇଥିଲା। ପାତ୍ରପୁର ବ୍ଲକ୍ରେ ଗୋଟିଏ ଦିନରେ ୫୪୬ ମିମି ବର୍ଷା ରେକର୍ଡ ହୋଇଛି। ଯାହା ୨୦୧୩ରେ ଫାଇଲିନ୍ ବାତ୍ୟା ସମୟର ବର୍ଷା ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି।
ପୂର୍ବ ଦିନ ୮୯ ମିମି ଓ ପରଦିନ ୧୭୩ ମିମି ବର୍ଷା ହୋଇଥିଲା। ଏହିପରି ଲଗାତାର ୩ ଦିନର ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିଲା। ୧୯୯୦ ଓ ୨୦୧୩ ତୁଳନାରେ ମଧ୍ୟ ଏଥର ଅଧିକ ବର୍ଷା ହୋଇଥିବା ସେ କହିଛନ୍ତି।
ଡ୍ୟାମ୍ ପରିଚାଳନାରେ ତ୍ରୁଟି ନାହିଁ
ଡ୍ୟାମ୍ରୁ ଅଧିକ ପାଣି ଛଡ଼ାଯିବା ନେଇ ଉଠିଥିବା ଅଭିଯୋଗର ଜବାବ ଦେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, ଋଷିକୁଲ୍ୟା ଓ ବାହୁଦା ନଦୀର ଜଳଗ୍ରହଣ ଅଞ୍ଚଳରୁ ଆସୁଥିବା ମୋଟ ପାଣିର ମାତ୍ର ୧୦ ପ୍ରତିଶତ ଡ୍ୟାମ୍କୁ ଆସିଥାଏ। ବାକି ୯୦ ପ୍ରତିଶତ ପାଣି ସିଧାସଳଖ ନଦୀକୁ ପ୍ରବାହିତ ହୁଏ।
ଡ୍ୟାମ୍ରୁ ପାଣି ଛାଡ଼ିବା ପୂର୍ବରୁ ଇଞ୍ଜିନିୟରମାନେ ସ୍ଥିତି ଅନୁଧ୍ୟାନ କରିଥିଲେ। ନିୟମ ଅନୁସାରେ ପର୍ଯ୍ୟାୟକ୍ରମେ ଗେଟ୍ ଖୋଲାଯାଇ ପାଣି ଛଡ଼ାଯାଇଥିଲା। ଡ୍ୟାମ୍ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ସେ କହିଛନ୍ତି।
ଜନଜୀବନ ସ୍ୱାଭାବିକ କରିବାକୁ ଉଦ୍ୟମ
ବନ୍ୟାରେ କୌଣସି ଜୀବନହାନି ହୋଇନଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ଯୋଗାଣ ଓ କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପ୍ରାୟ ସ୍ୱାଭାବିକ ହୋଇଛି। ଲୋକଙ୍କୁ ଆବଶ୍ୟକୀୟ ସହାୟତା ଓ ରିଲିଫ୍ ଯୋଗାଇ ଦିଆଯାଉଛି।