ୱାଲିକାଲେ: ଯୁଦ୍ଧକ୍ଷେତ୍ରରେ ନିଜ ପୋଷ୍ଟ ଛାଡ଼ି ପଳାୟନ କରିବା ଏବଂ ଆଦେଶ ଅବମାନନା କରିବା ଅଭିଯୋଗରେ ୬୬ ଜଣ ସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ସାମରିକ ଅଦାଲତ। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉତ୍ତର କିଭୁ ପ୍ରଦେଶର ୱାଲିକାଲେରେ ୭୧ ଜଣ ସୈନିକଙ୍କ ବିରୋଧରେ ଚାଲିଥିବା ବିଚାର ପରେ ଏହି ରାୟ ଆସିଛି।
୪ ଜଣ ନିର୍ଦ୍ଦୋଷ, ଜଣଙ୍କୁ ୧୦ ବର୍ଷ ଜେଲ୍
ଏହି ମାମଲାରେ ୬୬ ଜଣ ସୈନିକଙ୍କୁ ମୃତ୍ୟୁଦଣ୍ଡ ମିଳିଥିବା ବେଳେ ୪ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି। ଅନ୍ୟ ଜଣେ ସୈନିକଙ୍କୁ ୧୦ ବର୍ଷର ଜେଲ୍ ଦଣ୍ଡ ଶୁଣାଯାଇଛି।
କାହିଁକି ମିଳିଲା ଏତେ ବଡ଼ ଦଣ୍ଡ?
ରିପୋର୍ଟ ଅନୁସାରେ, ଗତ ଅକ୍ଟୋବର ୨୦ ତାରିଖରେ ୱାଲିକାଲେ ଅଞ୍ଚଳରେ ଏହି ସୈନିକମାନଙ୍କୁ ଗିରଫ କରାଯାଇଥିଲା। FRN ବିଦ୍ରୋହୀ ମେଣ୍ଟର ଯୋଦ୍ଧାଙ୍କ ସହ ସଂଘର୍ଷ ସମୟରେ ସେମାନେ ନିଜ ନିଜ ପୋଷ୍ଟ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଥିଲା। ଏହା ସହିତ ଆଦେଶ ଅବମାନନା ଓ ବିଦ୍ରୋହ ଭଳି ଅଭିଯୋଗ ମଧ୍ୟ ରହିଥିଲା।
M23 ବିଦ୍ରୋହୀଙ୍କ ସହ ଜାରି ରହିଛି ସଂଘର୍ଷ
ପୂର୍ବ କଙ୍ଗୋ ଦୀର୍ଘ ଦଶନ୍ଧି ଧରି ହିଂସା ଓ ସଂଘର୍ଷର ସମ୍ମୁଖୀନ ହୋଇଆସୁଛି। ସରକାରୀ ସେନା ଓ M23 ସମେତ ବିଦ୍ରୋହୀ ଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି। ସରକାରୀ ସେନାର ଅନୁଶାସନହୀନତା, ସମନ୍ୱୟର ଅଭାବ ଏବଂ ଅପର୍ଯ୍ୟାପ୍ତ ସାମରିକ ସୁବିଧାକୁ ନେଇ ପୂର୍ବରୁ ମଧ୍ୟ ସମାଲୋଚନା ହୋଇଛି।
ଅନ୍ୟପଟେ, କଙ୍ଗୋ ସରକାର ପଡ଼ୋଶୀ ରୱାଣ୍ଡା ଉପରେ M23କୁ ସମର୍ଥନ ଦେଉଥିବା ଅଭିଯୋଗ କରିଆସୁଛି। ତେବେ ରୱାଣ୍ଡା ଏହି ଅଭିଯୋଗକୁ ଖଣ୍ଡନ କରିଛି।
ସେନାରେ ଶୃଙ୍ଖଳା ଫେରାଇବା ଉଦ୍ଦେଶ୍ୟରେ ଏହି ବିଚାର କରାଯାଇଥିବା କଙ୍ଗୋ ସେନା ପକ୍ଷରୁ କୁହାଯାଇଛି। ତେବେ ଏକାଥରେ ୬୬ ଜଣ ସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଯିବା ଘଟଣା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।