ୱାଶିଂଟନ୍: ଇରାନକୁ ନେଇ ନିଜ ଆଭିମୁଖ୍ୟ ବଦଳାଉଛି କି ଆମେରିକା? ଇରାନ ବିରୋଧରେ ଚାଲିଥିବା ସାମରିକ ଅଭିଯାନ ପ୍ରାୟତଃ ଶେଷ ହୋଇସାରିଥିବା ନେଇ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କର ଏହି ମନ୍ତବ୍ୟ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କମିବା ସହ ଶାନ୍ତି ଫେରିବା ନେଇ ଆଶା ବଢ଼ିଛି।
ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ସାମରିକ ଦୃଷ୍ଟିକୋଣରୁ ଇରାନ ପ୍ରାୟତଃ ଶେଷ ହୋଇଯାଇଛି। ବର୍ତ୍ତମାନ ଆମେରିକା କେବଳ ପୂର୍ବ ସ୍ଥିତି ବଜାୟ ରଖିଛି। ତେବେ ଇରାନ ବିରୋଧରେ ଭବିଷ୍ୟତରେ ସମସ୍ତ ସାମରିକ ଆକ୍ରମଣ ବନ୍ଦ ହେବ ବୋଲି ସେ କୌଣସି ସ୍ପଷ୍ଟ ଘୋଷଣା କରିନାହାନ୍ତି।
ଅନ୍ୟପଟେ ଇରାନ ଉପରେ ଚାପ ବଜାୟ ରଖିବା ପାଇଁ ଆମେରିକା ଆର୍ଥିକ କଟକଣା, ନୌସେନା ଅବରୋଧ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ଲକ୍ଷ୍ୟଭିତ୍ତିକ ଆକ୍ରମଣ ଭଳି ପଦକ୍ଷେପ ଜାରି ରଖିଛି। ଟ୍ରମ୍ପଙ୍କ ବୟାନରୁ ଏହି ନୀତି ଆଗକୁ ମଧ୍ୟ ଜାରି ରହିପାରେ ବୋଲି ସଙ୍କେତ ମିଳୁଛି।
ସେପଟେ ଆମେରିକା ଓ ଇରାନ ମଧ୍ୟରେ କୂଟନୈତିକ ଆଲୋଚନା ମଧ୍ୟ ଜୋରଦାର ହେଉଛି। ଟ୍ରମ୍ପଙ୍କ ବୟାନ ପୂର୍ବରୁ କତାର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦଙ୍କ ସହ ହୋଇଥିବା ରୁଦ୍ଧଦ୍ୱାର ବୈଠକକୁ ଏହି ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି। ଇରାନ ପକ୍ଷରୁ କତାର ମାଧ୍ୟମରେ ଆମେରିକାକୁ ନୂଆ ପରମାଣୁ ପ୍ରସ୍ତାବ ପଠାଯାଇଥିବା ମଧ୍ୟ କୁହାଯାଉଛି। ଏହି ପ୍ରସ୍ତାବ ସହ ଇରାନ ସାତଟି ସର୍ତ୍ତ ରଖିଥିବା ଖବର ମିଳିଛି।
କେବଳ କତାର ନୁହେଁ, ପାକିସ୍ତାନ ମଧ୍ୟ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରୁଛି। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ନୂଆ ବୟାନ ଆଗାମୀ ଦିନରେ ଆମେରିକା-ଇରାନ ସମ୍ପର୍କରେ କି ପରିବର୍ତ୍ତନ ଆଣିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।