ନୂଆଦିଲ୍ଲୀ: ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅନ୍ତ ଘଟାଇବା ଦିଗରେ କୂଟନୈତିକ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଛନ୍ତି। ଏହି କଥାବାର୍ତ୍ତାରେ ଯୁଦ୍ଧର ସାମ୍ପ୍ରତିକ ସ୍ଥିତି, ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମ ଏବଂ ଭାରତ-ୟୁକ୍ରେନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଚର୍ଚ୍ଚା ହୋଇଛି।
ଆଲୋଚନା ସମୟରେ ଜେଲେନ୍ସ୍କି ୟୁକ୍ରେନ୍ରେ ଯୁଦ୍ଧର ବର୍ତ୍ତମାନର ସ୍ଥିତି ଓ ଏହାର ମାନବୀୟ ପ୍ରଭାବ ସମ୍ପର୍କରେ ନିଜର ମତ ରଖିଥିଲେ। ଅନ୍ୟପଟେ ଭାରତର ଶାନ୍ତି ଓ ମାନବିକତା ଆଧାରିତ ଆଭିମୁଖ୍ୟକୁ ପୁଣିଥରେ ଦୋହରାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଯୁଦ୍ଧର ସମାଧାନ କେବଳ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମ୍ଭବ ବୋଲି ସେ ମତ ଦେଇଥିଲେ।
ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ନିଜ ପକ୍ଷରୁ ସମ୍ଭବ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି। ସୋସିଆଲ ମିଡିଆରେ ଏହି ଫୋନ୍ କଲ୍ ବିଷୟରେ ସୂଚନା ଦେଇ ସେ ଆଲୋଚନାକୁ ସାର୍ଥକ ବୋଲି ବର୍ଣ୍ଣନା କରିଛନ୍ତି। ଏଥିସହ ଯୁଦ୍ଧର ମାନବୀୟ ଦିଗ ଏବଂ ଶାନ୍ତି ଫେରାଇ ଆଣିବା ପାଇଁ ହେଉଥିବା ବିଭିନ୍ନ ପ୍ରୟାସ ଉପରେ ମତାମତ ରଖିଥିବାରୁ ସେ ଜେଲେନ୍ସ୍କିଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଆବୁଧାବି ବୈଠକର ପ୍ରସ୍ତୁତି ନେଇ ଆଲୋଚନା
ଏହି ଫୋନ୍ କଥାବାର୍ତ୍ତାରେ ଆବୁଧାବିରେ ହେବାକୁ ଥିବା ଆଗାମୀ ବୈଠକ ଏବଂ ଶାନ୍ତି ପାଇଁ ଚାଲିଥିବା କୂଟନୈତିକ ପଦକ୍ଷେପ ସମ୍ପର୍କରେ ଜେଲେନ୍ସ୍କି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଇଥିଲେ। ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ୟୁକ୍ରେନ୍ ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ଉତ୍ତେଜନା ହ୍ରାସ କରିବା ଓ ଶାନ୍ତି ପାଇଁ ରୁଷ୍ ମଧ୍ୟ ସମାନ ଆଗ୍ରହ ଦେଖାଇବା ଆବଶ୍ୟକ ବୋଲି ଜେଲେନ୍ସ୍କି ମତ ରଖିଛନ୍ତି।
ସାମଗ୍ରିକ ଭାବେ ମୋଦୀ ଓ ଜେଲେନ୍ସ୍କିଙ୍କ ଏହି ଆଲୋଚନା ରୁଷ୍-ୟୁକ୍ରେନ୍ ଯୁଦ୍ଧର ସମାଧାନ, ଶାନ୍ତି ପ୍ରୟାସ ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନୂଆ ଆଲୋଚନାର ଦିଗ ଖୋଲିଛି।