ମୁମ୍ବାଇ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି ଆଉ ଏକ ବଡ଼ ଦାୟିତ୍ୱ। ଆଗାମୀ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ପାଇଁ ମୁମ୍ବାଇ ଦଳର ନେତୃତ୍ୱ ଭାର ତାଙ୍କୁ ଦିଆଯାଇଛି। ଏଥିସହ ଟୁର୍ଣ୍ଣାମେଣ୍ଟ ପାଇଁ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ (MCA) ପକ୍ଷରୁ ୧୬ ଜଣିଆ ଦଳ ଘୋଷଣା କରାଯାଇଛି।
ଆଇପିଏଲ୍ ୨୦୨୭ ନିଲାମୀ ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ମିଳିଥିବା ଏହି ଅଧିନାୟକ ଦାୟିତ୍ୱ କ୍ରିକେଟ୍ ମହଲରେ ଚର୍ଚ୍ଚା ବଢ଼ାଇଛି। ବର୍ତ୍ତମାନ ସେ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି ଅଛନ୍ତି। ତେବେ ଆଗାମୀ ସିଜିନ୍ ପୂର୍ବରୁ ତାଙ୍କ ଦଳ ପରିବର୍ତ୍ତନକୁ ନେଇ ମଧ୍ୟ ବିଭିନ୍ନ ଆଲୋଚନା ହେଉଛି।
ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଖେଳିବ ମୁମ୍ବାଇ
ଆସନ୍ତା ନଭେମ୍ବର ୧୪ ତାରିଖରୁ ସୈୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ମୁମ୍ବାଇକୁ ଏଲିଟ୍ ଗ୍ରୁପ୍-ଡିରେ ସ୍ଥାନ ମିଳିଛି। ଏହି ଗ୍ରୁପ୍ରେ ଛତିଶଗଡ଼, ଗୋଆ, ଗୁଜରାଟ, ହାଇଦ୍ରାବାଦ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ବିଦର୍ଭ ଭଳି ଦଳ ରହିଛନ୍ତି। ରଣଜୀ ଟ୍ରଫିର ପ୍ରଥମ ଚାରିଟି ମ୍ୟାଚ୍ ପାଇଁ ମୁମ୍ବାଇ ଦଳରେ ସ୍ଥାନ ପାଇନଥିବା ସୂର୍ଯ୍ୟକୁମାରଙ୍କୁ ଧଳା ବଲ୍ କ୍ରିକେଟ୍ରେ ନେତୃତ୍ୱ ଦେବା ନେଇ ପୂର୍ବରୁ ଚର୍ଚ୍ଚା ହେଉଥିଲା। ଶ୍ରେୟସ ଆୟର ଉପଲବ୍ଧ ନଥିବାରୁ ସୂର୍ଯ୍ୟକୁମାରଙ୍କୁ ଏହି ଦାୟିତ୍ୱ ମିଳିଥିବା କୁହାଯାଉଛି।
ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ନିଜ ବିବୃତିରେ କହିଛି ଯେ, ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଦଳର ନେତୃତ୍ୱ ନେବେ। ତାଙ୍କର ଅନ୍ତର୍ଜାତୀୟ ଅଭିଜ୍ଞତା, ନେତୃତ୍ୱ ଦକ୍ଷତା ଏବଂ ଆକ୍ରମଣାତ୍ମକ ବ୍ୟାଟିଂ ଦଳକୁ ଶକ୍ତିଶାଳୀ କରିବ ବୋଲି ଆଶା ରଖିଛି ସଂଘ।
ଶିବମ ଦୁବେ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ସ୍ଥାନ
ଘୋଷିତ ମୁମ୍ବାଇ ଦଳରେ ଅନେକ ଦକ୍ଷ ଖେଳାଳିଙ୍କୁ ସୁଯୋଗ ମିଳିଛି। ଅଲରାଉଣ୍ଡର ଶିବମ ଦୁବେ ଏବଂ ଶାର୍ଦ୍ଦୁଳ ଠାକୁର ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ସେହିପରି ଅଙ୍ଗକୃଷ ରଘୁବଂଶୀ, ମୁଶୀର ଖାନ୍, ସରଫରାଜ ଖାନ୍ ଓ ତୁଷାର ଦେଶପାଣ୍ଡେଙ୍କ ଭଳି ପରିଚିତ ଖେଳାଳି ମଧ୍ୟ ଦଳରେ ରହିଛନ୍ତି। ଏବେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ମୁମ୍ବାଇ ଦଳ କିଭଳି ପ୍ରଦର୍ଶନ କରୁଛି, ତାହା ଉପରେ କ୍ରିକେଟ୍ପ୍ରେମୀଙ୍କ ନଜର ରହିବ।
ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ମୁମ୍ବାଇର ୧୬ ଜଣିଆ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଙ୍ଗକୃଷ ରଘୁବଂଶୀ, ଦିବ୍ୟାଂଶ ସକ୍ସେନା, ସୁଭେଦ ପାରକର, ମୁଶୀର ଖାନ୍, ସରଫରାଜ ଖାନ୍, ସାଇରାଜ ପାଟିଲ, ଶିବମ ଦୁବେ, ଅଥର୍ବ ଅଙ୍କୋଲେକର , ଶମ୍ସ ମୁଲାନୀ , ମ୍ୟାକ୍ସୱେଲ ସ୍ୱାମୀନାଥନ , ତୁଷାର ଦେଶପାଣ୍ଡେ, ଶାର୍ଦ୍ଦୁଳ ଠାକୁର, ମୋହିତ ଅବସ୍ତି, ସିଲଭେଷ୍ଟର ଡିସୁଜା, ହାର୍ଦ୍ଦିକ ତାମୋରେ