ନୂଆଦିଲ୍ଲୀ: ପୁଣି ଥରେ ୧୦୦ ବର୍ଷର ହକି ସମ୍ପର୍କକୁ ମନେ ପକାଇବେ ଭାରତ ଓ ନ୍ୟୁଜିଲାଣ୍ଡ । ନଭେମ୍ବର ୧୯ରେ ଅକଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ ବନାମ ଭାରତ ପୁରୁଷ ହକି ସିରିଜ୍ । ଏଥିପାଇଁ ସୋମବାର ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ସଞ୍ଜୟ ଅଧିନାୟକ ପଦ ସମ୍ଭାଳିବେ ।
ନଭେମ୍ବର ୧୯, ୨୧ ଏବଂ ୨୨ ତାରିଖରେ ଅକଲ୍ୟାଣ୍ଡର ଲଏଡ୍ ଏଲସମୋର ହକି ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ । ଦୁଇ ଦେଶ ମଧ୍ୟରେ ୧୦୦ ବର୍ଷର କ୍ରୀଡା ସମ୍ପର୍କକୁ ସ୍ମରଣ କରିବା ପାଇଁ ଏହି ଗସ୍ତ ଆୟୋଜନ କରାଯାଉଛି । ୧୯୨୬ ମସିହାରେ ମେଜର ଧ୍ୟାନ ଚାନ୍ଦଙ୍କ ସମୟରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହକି କ୍ରୀଡ଼ା ସମ୍ପର୍କ ଆରମ୍ଭ ହୋଇଥିଲା । ମେଜର ଧ୍ୟାନ ଚାନ୍ଦଙ୍କ ନେତୃତ୍ୱରେ ଏକ ଭାରତୀୟ ହକି ଦଳ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା। ଏହା କୌଣସି କ୍ରୀଡ଼ାରେ ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପ୍ରଥମ ଭାରତୀୟ ଦଳ ଥିଲା।
ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍ ଯୁବ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇଛନ୍ତି । ନ୍ୟୁଜିଲାଣ୍ଡ ଦଳ ବିପକ୍ଷରେ ଘରୋଇ ପରିବେଶରେ ତିନୋଟି ମ୍ୟାଚ୍ ଖେଳିବା ଯୁବ ଖେଳାଳିଙ୍କୁ ଏକ ଭଲ ସୁଯୋଗ ଦେବ । ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀ ମଧ୍ୟ ସମାନ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏହି ଗସ୍ତକୁ ଦୁଇ ଦେଶ ମଧ୍ୟରେ କ୍ରୀଡା ବନ୍ଧୁତା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହା ଯୁବ ଖେଳାଳିମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ ।
୨୦ ଜଣିଆ ଭାରତୀୟ ଦଳ
ଗୋଲକିପର: ମୋହିତ ଏଚ୍.ଏସ୍., ପବନ।
ଡିଫେଣ୍ଡର: ସଞ୍ଜୟ (ଅଧିନାୟକ), ନୀଲମ ସଞ୍ଜୀପ ଜେସ, ଶାରଦା ନନ୍ଦ ତିୱାରୀ, ତାଲେମ ପ୍ରିୟୋବର୍ତା, ଅନମୋଲ ଏକ୍କା ଓ ଯଶଦୀପ ସିୱାଚ
ମିଡଫିଲ୍ଡର: ଅଙ୍ଗଦ ବୀର ସିଂ, ଆଦିତ୍ୟ ଅର୍ଜୁନ ଲାଲଗେ, ରବିଚନ୍ଦ୍ର ସିଂ, ବିଷ୍ଣୁକାନ୍ତ ସିଂ, ମନମିତ ସିଂ, ରୋଶନ କୁଜୁର ଏବଂ ଭେଙ୍କଟେଶ କେଞ୍ଚେ
ପରୱାର୍ଡ: ଅଜିତ ଯାଦବ, ଉତ୍ତମ ସିଂ, କାର୍ତ୍ତି ସେଲଭାମ, ଅର୍ଶଦୀପ ସିଂ ଏବଂ ଅରିଜିତ ସିଂ ହୁନ୍ଦଲ