ମୁମ୍ବାଇ: ଆଇପିଏଲ୍ ୨୦୨୭କୁ ନେଇ ଏବେଠାରୁ ଆରମ୍ଭ ହୋଇଗଲାଣି ଖେଳାଳି ଅଦଳବଦଳ ଓ ରିଟେନ୍ସନ୍କୁ ନେଇ ଚର୍ଚ୍ଚା। ଆଗାମୀ ସିଜିନ୍ ପାଇଁ ନଭେମ୍ବର ୧୭ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜିଙ୍କୁ ନିଜ ନିଜ ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଦେବାକୁ ପଡ଼ିବ। ଏହା ପୂର୍ବରୁ ଖେଳାଳି ଟ୍ରେଡ୍କୁ ନେଇ କ୍ରିକେଟ୍ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି କ୍ରମରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଞ୍ଜାବ କିଙ୍ଗସ୍କୁ ଟ୍ରେଡ୍ କରିବା ନେଇ ରିପୋର୍ଟ ସାମ୍ନାକୁ ଆସିଛି। ତାଙ୍କ ବଦଳରେ ପଞ୍ଜାବର ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ଏହି ଟ୍ରେଡ୍ ଡିଲ୍କୁ ନେଇ ଏପର୍ଯ୍ୟନ୍ତ ଆଧିକାରିକ ଘୋଷଣା ହୋଇନାହିଁ। ଅନ୍ୟପଟେ ଦଳର ଖେଳାଳି ସନ୍ତୁଳନକୁ ଦୃଷ୍ଟିରେ ରଖି ମୁମ୍ବାଇ ଇଣ୍ଡିଆନ୍ସ ୪ ଜଣ ଖେଳାଳିଙ୍କୁ ରିଲିଜ୍ କରିପାରେ ବୋଲି ଆକଳନ କରାଯାଉଛି।
କେଉଁ ୪ ଖେଳାଳିଙ୍କୁ ଛାଡ଼ିପାରେ ମୁମ୍ବାଇ?
୧. ମହିପାଲ ଲୋମରୋର
ମହିପାଲ ଲୋମରୋରଙ୍କୁ ରିପ୍ଲେସମେଣ୍ଟ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ଦଳରେ ସାମିଲ କରିଥିଲା। ତାଙ୍କୁ ୫୦ ଲକ୍ଷ ଟଙ୍କାରେ ଦଳରେ ସ୍ଥାନ ମିଳିଥିଲା। ତେବେ ଗତ ସିଜିନ୍ରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନଥିଲା। ତେଣୁ ଆଗାମୀ ନିଲାମ ପୂର୍ବରୁ ତାଙ୍କୁ ଦଳରୁ ବିଦାୟ ଦେଇପାରେ ମୁମ୍ବାଇ।
୨. ଶାର୍ଦ୍ଦୁଳ ଠାକୁର
ଟ୍ରେଡ୍ ଡିଲ୍ ମାଧ୍ୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିଥିଲେ ଶାର୍ଦ୍ଦୁଳ ଠାକୁର। ୨ କୋଟି ଟଙ୍କାରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା। ଗତ ସିଜିନ୍ରେ ସେ ୯ଟି ମ୍ୟାଚ୍ ଖେଳିଥିଲେ। ହେଲେ ତାଙ୍କ ପ୍ରଦର୍ଶନ ଫ୍ରାଞ୍ଚାଇଜିର ଆଶା ଅନୁସାରେ ରହିନଥିଲା। ତେଣୁ ତାଙ୍କୁ ରିଲିଜ୍ କରିବା ନେଇ ମୁମ୍ବାଇ ବିଚାର କରିପାରେ।
୩. ରବିନ୍ ମିଞ୍ଜ
ଝାଡ଼ଖଣ୍ଡର ଯୁବ ବ୍ୟାଟର ରବିନ୍ ମିଞ୍ଜ ଘରୋଇ କ୍ରିକେଟ୍ରେ ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ। ତାଙ୍କୁ ଘରୋଇ କ୍ରିକେଟ୍ର କ୍ରିସ୍ ଗେଲ୍ ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆଇପିଏଲ୍ରେ ସେ ନିଜ ପ୍ରତିଭା ଅନୁଯାୟୀ ପ୍ରଦର୍ଶନ କରିପାରିନାହାନ୍ତି। ମୁମ୍ବାଇ ପାଇଁ ଆଶାଜନକ ଅବଦାନ ରଖିବାରେ ବିଫଳ ହୋଇଥିବାରୁ ତାଙ୍କୁ ମଧ୍ୟ ରିଲିଜ୍ କରାଯାଇପାରେ।
୪. ମୟଙ୍କ ମାର୍କଣ୍ଡେ
ଲେଗ୍ ସ୍ପିନର ମୟଙ୍କ ମାର୍କଣ୍ଡେଙ୍କୁ ନେଇ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ପୁନର୍ବିଚାର କରିପାରେ। ଗତ ସିଜିନ୍ରେ ତାଙ୍କୁ ଅଧିକ ସୁଯୋଗ ମିଳିନଥିଲା। ଏହା ସହ ଦଳରେ ପୂର୍ବରୁ ଅଲ୍ଲାହ ଗଜନଫର, ରଘୁ ଶର୍ମା ଓ କେଶବ ମହାରାଜଙ୍କ ଭଳି ସ୍ପିନ୍ ବିକଳ୍ପ ରହିଛନ୍ତି। ତେଣୁ ଦଳରେ ସ୍ପିନ୍ ବିଭାଗକୁ ନୂଆ ରୂପ ଦେବା ପାଇଁ ମୟଙ୍କଙ୍କୁ ଛାଡ଼ିବା ସମ୍ଭାବନା ରହିଛି।
ଅର୍ଶଦୀପଙ୍କୁ ନେଇ ମୁମ୍ବାଇର ନଜର!
ହାର୍ଦ୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ସମ୍ଭାବ୍ୟ ଟ୍ରେଡ୍ ଡିଲ୍ ଏବେ ଏହି ଚର୍ଚ୍ଚାର ସବୁଠାରୁ ବଡ଼ ଖବର ପାଲଟିଛି। ଯଦି ଏହି ଡିଲ୍ ବାସ୍ତବ ରୂପ ନିଏ, ତେବେ ମୁମ୍ବାଇ ନିଜ ବୋଲିଂ ବିଭାଗକୁ ଆହୁରି ମଜଭୁତ କରିବାର ସୁଯୋଗ ପାଇବ। ଅନ୍ୟପଟେ ପଞ୍ଜାବ କିଙ୍ଗସ୍କୁ ହାର୍ଦ୍ଦିକଙ୍କ ଭଳି ଅଲରାଉଣ୍ଡର ମିଳିପାରିବେ।
ତେବେ ଏହି ସବୁ ଖବର ଓ ସମ୍ଭାବନା ଉପରେ ଫ୍ରାଞ୍ଚାଇଜିଙ୍କ ଆଧିକାରିକ ଘୋଷଣାକୁ ଅପେକ୍ଷା ରହିଛି। ଆଇପିଏଲ୍ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ କେଉଁ ଖେଳାଳିଙ୍କୁ ରଖୁଛି ଏବଂ କାହାକୁ ବିଦାୟ ଦେଉଛି, ତାହା ଉପରେ ରହିଛି କ୍ରିକେଟ୍ ପ୍ରେମୀଙ୍କ ନଜର।