ନୂଆଦିଲ୍ଲୀ: ଦିଲ୍ଲୀର ବିଷାକ୍ତ ବାୟୁ ଏବଂ ଷ୍ଟାଡିୟମରେ ନବୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭାରତ-ଶ୍ରୀଲଙ୍କା ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ର ଭେନ୍ୟୁ ପରିବର୍ତ୍ତନ କରିଛି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI)। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ବଦଳରେ ଏବେ ଏହି ମ୍ୟାଚ୍ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଖେଳାଯିବ।
ଆସନ୍ତା ଡିସେମ୍ବରରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଉଭୟ ଦଳ ମଧ୍ୟରେ ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳାଯିବ। ଡିସେମ୍ବର ୧୩ ତାରିଖରୁ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ମ୍ୟାଚ୍ର ଆୟୋଜନ ଦାୟିତ୍ୱ ପୂର୍ବରୁ ଦିଲ୍ଲୀକୁ ମିଳିଥିଲା।
ତେବେ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ଏବଂ ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ନବୀକରଣ କାର୍ଯ୍ୟ ଯୋଗୁଁ ମ୍ୟାଚ୍ ଆୟୋଜନକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ପରିସ୍ଥିତିରେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍ (DDCA) ବିସିସିଆଇକୁ ମ୍ୟାଚ୍ର ସ୍ଥାନ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା।
ନଭେମ୍ବର ୫ ତାରିଖ ଗୁରୁବାର ଦିନ ବିସିସିଆଇ ଏକ ଅଧିକାରିକ ବିବୃତି ଜାରି କରି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛି। ଡିଡିସିଏର ଅନୁରୋଧକୁ ଗ୍ରହଣ କରି ପ୍ରଥମ ଦିନିକିଆକୁ ବିଶାଖାପାଟଣାର ACA-VDCA କ୍ରିକେଟ୍ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଥିବା ବୋର୍ଡ ସ୍ପଷ୍ଟ କରିଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସମ୍ଭାବ୍ୟ ପାଣିପାଗଜନିତ ସମସ୍ୟା ଏବଂ ଷ୍ଟାଡିୟମରେ ପ୍ରସ୍ତାବିତ ନବୀକରଣ କାର୍ଯ୍ୟକୁ ବିଚାରକୁ ନେଇ ଏହି ପରିବର୍ତ୍ତନ କରାଯାଇଛି।
ଭାରତ-ଶ୍ରୀଲଙ୍କା ସିରିଜ୍ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
୧୩ ଡିସେମ୍ବର, ରବିବାର – ପ୍ରଥମ ଦିନିକିଆ, ବିଶାଖାପାଟଣା (ଅପରାହ୍ନ ୨ଟା)
୧୬ ଡିସେମ୍ବର, ବୁଧବାର – ଦ୍ୱିତୀୟ ଦିନିକିଆ, ବେଙ୍ଗାଲୁରୁ (ଅପରାହ୍ନ ୨ଟା)
୧୯ ଡିସେମ୍ବର, ଶନିବାର – ତୃତୀୟ ଦିନିକିଆ, ଅହମ୍ମଦାବାଦ (ଅପରାହ୍ନ ୨ଟା)
ଟି-୨୦ ସିରିଜ୍
୨୨ ଡିସେମ୍ବର, ମଙ୍ଗଳବାର – ପ୍ରଥମ ଟି-୨୦, ରାଜକୋଟ (ସନ୍ଧ୍ୟା ୭ଟା)
୨୪ ଡିସେମ୍ବର, ଗୁରୁବାର – ଦ୍ୱିତୀୟ ଟି-୨୦, କଟକ (ସନ୍ଧ୍ୟା ୭ଟା)
୨୭ ଡିସେମ୍ବର, ରବିବାର – ତୃତୀୟ ଟି-୨୦, ପୁଣେ (ସନ୍ଧ୍ୟା ୭ଟା)
ଦିଲ୍ଲୀର ପ୍ରଦୂଷଣକୁ ନେଇ କ୍ରିକେଟ୍ ମ୍ୟାଚ୍ ଆୟୋଜନରେ ସମସ୍ୟା ଉପୁଜିବା ପରେ ବିସିସିଆଇର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏବେ ବିଶାଖାପାଟଣାରେ ଭାରତ-ଶ୍ରୀଲଙ୍କା ସିରିଜ୍ର ପ୍ରଥମ ମ୍ୟାଚ୍କୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।