ମୋହାଲି: ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୬ରେ ଭାରତୀୟ ପୁରୁଷ ହକି ଦଳର ଦମଦାର ପ୍ରଦର୍ଶନ ଜାରି ରହିଛି। ବୁଧବାର ଖେଳାଯାଇଥିବା ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୮-୧ ଗୋଲ୍ର ବଡ଼ ବ୍ୟବଧାନରେ ପରାସ୍ତ କରି ଭାରତ ଫାଇନାଲରେ ପ୍ରବେଶ କରିଛି। ଏହା ସହ ଟୁର୍ଣ୍ଣାମେଣ୍ଟ ଇତିହାସରେ ସପ୍ତମ ଥର ପାଇଁ ଟାଇଟଲ୍ ମୁକାବିଲାକୁ ଉନ୍ନୀତ ହୋଇଛି ଟିମ୍ ଇଣ୍ଡିଆ।
ମୋହାଲିର ଅଲିମ୍ପିଆନ୍ ବଲବୀର ସିଂହ ସିନିୟର ଇଣ୍ଟରନ୍ୟାସନାଲ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆରମ୍ଭରୁ ଭାରତୀୟ ଖେଳାଳିଙ୍କ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଶିଳାନନ୍ଦ ଲାକ୍ରା ଓ ଦିଲପ୍ରୀତ ସିଂହ ଦୁଇଟି ଲେଖାଏଁ ଗୋଲ୍ କରିଥିବା ବେଳେ ଅଧିନାୟକ ହରମନପ୍ରୀତ ସିଂହ, ସୁଖଜିତ ସିଂହ, ଅଙ୍ଗଦ ବୀର ଓ ବିବେକ ସାଗର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ପ୍ରଥମ କ୍ୱାର୍ଟରରୁ ଭାରତର ଦବଦବା
ମ୍ୟାଚ୍ ଆରମ୍ଭ ହେବାର ଚତୁର୍ଥ ମିନିଟ୍ରେ ଶିଳାନନ୍ଦ ଲାକ୍ରା ଗୋଲ୍ କରି ଭାରତକୁ ଅଗ୍ରଣୀ କରାଇଥିଲେ। ଏହାର କିଛି ସମୟ ପରେ ନବମ ମିନିଟ୍ରେ ଦକ୍ଷିଣ କୋରିଆର ସଙ୍ଗଜୁନ୍ ହାନ୍ ଗୋଲ୍ କରି ସ୍କୋରକୁ ୧-୧ କରିଦେଇଥିଲେ। ତେବେ ଭାରତୀୟ ଦଳ ତୁରନ୍ତ ଏହାର ଜବାବ ଦେଇଥିଲା। ଅଧିନାୟକ ହରମନପ୍ରୀତ ସିଂହ ଗୋଲ୍ କରି ଭାରତକୁ ପୁଣି ଅଗ୍ରଣୀ କରାଇଥିଲେ। ୧୩ତମ ମିନିଟ୍ରେ ଶିଳାନନ୍ଦ ନିଜର ଦ୍ୱିତୀୟ ଗୋଲ୍ ଦେଇ ଦଳର ସ୍ଥିତି ଆହୁରି ମଜବୁତ କରିଥିଲେ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୩-୧ ଗୋଲ୍ରେ ଆଗୁଆ ରହିଥିଲା।
ଦ୍ୱିତୀୟ କ୍ୱାର୍ଟରରେ ଆଉ ୩ ଗୋଲ୍
ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଗୋଲ୍ ବର୍ଷା ଜାରି ରହିଥିଲା। ୨୧ତମ ମିନିଟ୍ରେ ସୁଖଜିତ ସିଂହ ଏବଂ ଦିଲପ୍ରୀତ ସିଂହ ଗୋଲ୍ କରିଥିଲେ। ଏହାପରେ ୨୫ତମ ମିନିଟ୍ରେ ଦିଲପ୍ରୀତ ଆଉ ଏକ ଗୋଲ୍ ଦେଇ ନିଜର ଦ୍ୱିତୀୟ ସଫଳତା ହାସଲ କରିଥିଲେ। ଫଳରେ ଦ୍ୱିତୀୟ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୬-୧ ଗୋଲ୍ର ବିଶାଳ ଅଗ୍ରଣୀ ହାସଲ କରିଥିଲା।
ଶେଷ ପର୍ଯ୍ୟନ୍ତ ଜାରି ରହିଲା ଗୋଲ୍ ବର୍ଷା
ତୃତୀୟ କ୍ୱାର୍ଟରର ୩୬ତମ ମିନିଟ୍ରେ ଅଙ୍ଗଦ ବୀର ଆଉ ଏକ ଗୋଲ୍ ଦେଇ ଭାରତର ସ୍କୋରକୁ ୭-୧ରେ ପହଞ୍ଚାଇଥିଲେ। ଶେଷ କ୍ୱାର୍ଟରରେ ମଧ୍ୟ ଭାରତୀୟ ଦଳ ଆକ୍ରମଣ ଜାରି ରଖିଥିଲା। ୫୪ତମ ମିନିଟ୍ରେ ବିବେକ ସାଗର ଗୋଲ୍ କରି ଭାରତର ସ୍କୋରକୁ ୮ରେ ପହଞ୍ଚାଇଥିଲେ।
ଶେଷରେ ୮-୧ ଗୋଲ୍ରେ ମ୍ୟାଚ୍ ଜିତି ଭାରତ ଗର୍ବର ସହ ଫାଇନାଲରେ ସ୍ଥାନ ପକ୍କା କରିଛି। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ କୌଣସି ମ୍ୟାଚ୍ ନ ହାରି ଫାଇନାଲକୁ ଯାଇଥିବା ଭାରତୀୟ ଦଳ ଏବେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛି।
ନଭେମ୍ବର ୫ରେ ଫାଇନାଲ ମୁକାବିଲା
ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଗୁରୁବାର (ନଭେମ୍ବର ୫) ମୋହାଲିର ଅଲିମ୍ପିଆନ୍ ବଲବୀର ସିଂହ ସିନିୟର ଇଣ୍ଟରନ୍ୟାସନାଲ ହକି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲର ଏହି ବଡ଼ ବିଜୟ ପରେ ଫାଇନାଲରେ ମଧ୍ୟ ଭାରତୀୟ ଦଳଠାରୁ ଚମତ୍କାର ପ୍ରଦର୍ଶନ ଆଶା କରୁଛନ୍ତି ହକିପ୍ରେମୀ।