ହାମିଲଟନ୍: ହାମିଲଟନ୍ର ସେଡନ୍ ପାର୍କଠାରେ ଖେଳାଯାଇଥିବା ପଞ୍ଚମ ଟି-୨୦ ମ୍ୟାଚ୍ରେ ଭାରତକୁ ୭ ୱିକେଟ୍ରେ ପରାସ୍ତ କରିଛି ଘରୋଇ ନ୍ୟୁଜିଲାଣ୍ଡ। ଭାରତ ଦ୍ଵାରା ଧାର୍ଯ୍ୟ ୧୯୨ ରନ୍ର ବିଜୟ ଲକ୍ଷ୍ୟକୁ କିୱି ଦଳ ୧୮ ଓଭର୍ରେ ୩ ୱିକେଟ୍ ହରାଇ ସହଜରେ ହାସଲ କରିନେଇଛି। ମ୍ୟାଚ୍ରେ ପରାଜୟ ସତ୍ତ୍ୱେ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଏହି ଟି-୨୦ ସିରିଜକୁ ୩-୨ରେ ନିଜ ନାମରେ କରିଛି। ଟିମ୍ ସେଇଫର୍ଟଙ୍କ ବିସ୍ଫୋରକ ୯୧ ରନ ଏବଂ ଫିଲିପ୍ସଙ୍କ ଅପରାଜିତ ୬୫ ରନ ବଳରେ କିଓ୍ଵି ଟିମ୍ ୧୮ ଓଭରରେ ହିଁ ସହଜରେ ମ୍ୟାଚ୍ ଜିତି ନେଇଛି।
୧୯୨ ରନ୍ର ପିଛା କରୁଥିବା ନ୍ୟୁଜିଲାଣ୍ଡର ଆରମ୍ଭ ଖରାପ ରହିଥିଲା। ଦ୍ୱିତୀୟ ଓଭର୍ରେ ଅର୍ଶଦୀପ ସିଂହ ଓପନର ଫିନ୍ ଆଲେନ୍ଙ୍କୁ (୨) ଆଉଟ୍ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ତେବେ ଏହାପରେ ଟିମ୍ ସେଇଫର୍ଟ ଏବଂ ଡେରିଲ୍ ମିଚେଲ ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଡ଼ି ଦଳକୁ ସମ୍ଭାଳିଥିଲେ। ବରୁଣ ଚକ୍ରବର୍ତ୍ତୀ, ମିଚେଲଙ୍କୁ (୨୯ ରନ୍, ୧୬ ବଲ୍) ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲେ।
ଏହାପରେ ସେଇଫର୍ଟ ଓ ଗ୍ଲେନ୍ ଫିଲିପ୍ସ ତୃତୀୟ ୱିକେଟ୍ ପାଇଁ ୮୬ ରନ୍ର ଦ୍ରୁତ ଭାଗୀଦାରୀ କରି ଦଳର ବିଜୟ ନିଶ୍ଚିତ କରିଥିଲେ। ସେଇଫର୍ଟ ୫୦ଟି ବଲ୍ରୁ ୧୧ଟି ଚୌକା ଓ ୫ଟି ଛକା ସହାୟତାରେ ୯୩ ରନ୍ର ବିସ୍ଫୋରକ ପାରି ଖେଳି ନୀତିଶ କୁମାର ରେଡ୍ଡୀଙ୍କ ବଲ୍ରେ ବୋଲ୍ଡ ହୋଇଥିଲେ। ଅନ୍ୟପଟେ ଗ୍ଲେନ୍ ଫିଲିପ୍ସ ୩୮ ବଲ୍ରୁ ୬୫ ରନ୍ (୮ ଚୌକା, ୩ ଛକା) କରି ଅପରାଜିତ ରହି ଦଳକୁ ଜିତାଇଥିଲେ।
ଇଶାନ୍ ଓ ଶ୍ରେୟସଙ୍କ ଅର୍ଦ୍ଧଶତକ
ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ଆଡମ ମିଲନେଙ୍କ ଘାତକ ବୋଲିଂ ଯୋଗୁଁ ଓପନର ଅଭିଷେକ ଶର୍ମା (୧) ଓ ସଞ୍ଜୁ ସାମସନ୍ (୪) ଶୀଘ୍ର ଆଉଟ୍ ହୋଇଥିଲେ।
ଏହାପରେ ଇଶାନ୍ କିଶନ୍ ଓ କପ୍ତାନ ଶ୍ରେୟସ ଆୟର ଧୁଆଁଧାର ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ। ଇଶାନ୍ ୩୨ ବଲ୍ରୁ ୬୧ ରନ୍ (୫ ଚୌକା, ୫ ଛକା) ଏବଂ ଶ୍ରେୟସ ଆୟର ୨୩ ବଲ୍ରୁ ୫୦ ରନ୍ (୩ ଚୌକା, ୪ ଛକା) କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ନମନ ଧୀର ୩୩ ରନ୍ ଓ ନୀତିଶ ରେଡ୍ଡୀ ୨୨ ରନ୍ର ଯୋଗଦାନ ଦେଇଥିଲେ। ଫଳରେ ଭାରତ ୮ ଓ୍ଵିକେଟ୍ ହରାଇ ୧୯୧ ରନ କରି ପାରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଆଡମ୍ ମିଲନେ ସବାଧିକ ୪ଟି ୱିକେଟ୍ ହାସଲ କରିଥିବା ବେଳେ ବ୍ଲେୟାର ଟିକନର ଓ ନାଥନ ସ୍ମିଥ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।