ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳରେ ପରିବର୍ତ୍ତନ ଏତେ ଦ୍ରୁତ ଗତିରେ ହୁଏ ଯେ, ଅଳ୍ପ କିଛି ଦିନ ମଧ୍ୟରେ ଜଣେ ପ୍ରମୁଖ ଖେଳାଳି ମଧ୍ୟ ଦଳରୁ ବାଦ୍ ପଡ଼ିଯାଆନ୍ତି। ଟି-୨୦ ଟିମ୍ର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଥିବା ଅଲରାଉଣ୍ଡର ଶିବମ ଦୁବେଙ୍କ ସହ ଏବେ କିଛି ଏପରି ହିଁ ଘଟିଛି। ଗତ କିଛି ମ୍ୟାଚ୍ ହେବ ନା ତ ତାଙ୍କୁ ପ୍ଲେଇଂ ଇଲେଭେନ୍ରେ ସୁଯୋଗ ମିଳୁଛି, ନା ତାଙ୍କ ବିଷୟରେ କିଏ ଆଲୋଚନା କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଚାଲିଥିବା ବେଳେ ଦଳର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ଙ୍କ ଭାଗ୍ୟକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନମନ ଧୀରଙ୍କ ଏଣ୍ଟ୍ରି ପରେ କେଉଁଠି ରହିଗଲେ ଶିବମ ?
ଭାରତ ପାଇଁ ୮୨ଟି ଟି-୨୦ ଏବଂ ୬ଟି ଦିନିକିଆ ଖେଳି ସାରିଥିବା ଶିବମ ଦୁବେଙ୍କୁ ପାଖାପାଖି ୬ଟି ମ୍ୟାଚ୍ ହେବ ଦଳରୁ ବାହାରେ ରଖାଯାଇଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳାରୁ ହିଁ ସେ ପ୍ଲେଇଂ ଇଲେଭେନ୍ରୁ ବାଦ୍ ପଡ଼ିଥିଲେ। ତେବେ ତାଙ୍କ ସ୍ଥାନରେ ଯୁବ ଖେଳାଳି ନମନ ଧୀରଙ୍କୁ ଟିମରେ ସୁଯୋଗ ମିଳିବା ପରେ ସବୁକିଛି ବଦଳିଯାଇଛି। ନମନ ଧୀର ନିଜର ଦମଦାର ପ୍ରଦର୍ଶନ ଦ୍ୱାରା ଦଳରେ ନିଜର ସ୍ଥାନ ପକ୍କା କରିବା ସହ ଶିବମ ଦୁବେଙ୍କ ପ୍ରଭାବକୁ ମଧ୍ୟ ଫିକା କରିଦେଇଛନ୍ତି।
ବେଞ୍ଚରେ ବସି ରହିବାକୁ ବାଧ୍ୟ ଦୁଇଥରର ବିଶ୍ୱ ଚାମ୍ପିୟନ୍
ଶିବମ ଦୁବେ କୌଣସି ସାଧାରଣ ଖେଳାଳି ନୁହଁନ୍ତି। ସେ ଦୁଇଥର ଟି-୨୦ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ସେ ନିୟମିତ ଭାବେ ଟିମର ପ୍ରମୁଖ ଖେଳାଳି ଭାବେ ଖେଳିଆସିଛନ୍ତି।
ଭାରତ ପାଇଁ ୮୨ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ର ୬୧ଟି ପାଳିରେ ବ୍ୟାଟିଂ କରି ସେ ୨୮.୦୫ ହାରରେ ଏବଂ ୧୪୯.୮୮ ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ୧୧୭୮ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ୬ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି। ଏହାଛାଡ଼ା ସେ ୫୩ଟି ମ୍ୟାଚରେ ବୋଲିଂ କରି ୪୦ଟି ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି।
ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ମ୍ୟାଚ୍ରେ ମିଳିବ କି ସୁଯୋଗ ?
ନ୍ୟୁଜିଲାଣ୍ଡ ବିପକ୍ଷ ଚାଲିଥିବା ଟି-୨୦ ସିରିଜ୍ ପାଇଁ ଶିବମ ଦୁବେଙ୍କୁ ସ୍କ୍ୱାଡ୍ରେ ସାମିଲ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ରେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ। ସେ କେବଳ ଡଗ୍ଆଉଟ୍ ବା ବେଞ୍ଚରେ ବସି ସମୟ କାଟୁଛନ୍ତି।
ବର୍ତ୍ତମାନ ସିରିଜର ଶେଷ ତଥା ପଞ୍ଚମ ଟି-୨୦ ମ୍ୟାଚ୍ ରବିବାର ଦିନ ଖେଳାଯିବ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଫର୍ମ ଏବଂ ଲକ୍ଷ୍ୟକୁ ଆଖିରେ ରଖି ଅଧିନାୟକ ଓ ମ୍ୟାନେଜମେଣ୍ଟ୍ କ’ଣ ଦୁବେଙ୍କୁ ଶେଷ ମ୍ୟାଚ୍ରେ ସୁଯୋଗ ଦେବେ କି ? କ୍ରିକେଟ୍ ସମୀକ୍ଷକଙ୍କ ମତରେ ତାଙ୍କୁ ପୁଣି ଥରେ ପ୍ଲେଇଂ ଇଲେଭେନ୍ରେ ଦେଖିବାର ସମ୍ଭାବନା ବେଶ୍ କମ୍ ରହିଛି।