ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଐତିହାସିକ ରାମଲୀଳା ମୈଦାନରେ ବିରୋଧୀ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଅନୁଷ୍ଠିତ ମହାରାଲି ଯୋଗୁଁ ବ୍ୟବସାୟ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପଡ଼ିଛି। ମୁଖ୍ୟ ନିର୍ବାଚନ କମିଶନରଙ୍କ ବାସଭବନ ଓ କାର୍ଯ୍ୟାଳୟ ଘେରାଉ ଏବଂ ନିର୍ବାଚନୀ ଅନିୟମିତତା ଅଭିଯୋଗକୁ ନେଇ କରାଯାଇଥିବା ଏହି ବିକ୍ଷୋଭ ଯୋଗୁଁ ଦିଲ୍ଲୀର ବାଣିଜ୍ୟିକ କାରବାର ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିବା ବ୍ୟବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି।
ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ବ୍ରିଜେଶ ଗୋୟଲ ସମ୍ବାଦ ସଂସ୍ଥା 'ପିଟିଆଇ'କୁ ଦେଇଥିବା ସୂଚନା ଅନୁଯାୟୀ, ଏହି ମହାରାଲି ଯୋଗୁଁ ଦିଲ୍ଲୀର ବିଭିନ୍ନ ପ୍ରମୁଖ ବଜାରଗୁଡ଼ିକରେ ପ୍ରାୟ ୨.୫ ଲକ୍ଷ ଦୋକାନ ବନ୍ଦ ରହିଥିଲା। ବିଶେଷକରି ରାମଲୀଳା ମୈଦାନ ଆଖପାଖରେ ଥିବା ୨୫ଟି ବଡ଼ ହୋଲସେଲ ବଜାର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କେତେକ ବଜାରରେ ୭୦ ପ୍ରତିଶତରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଦୋକାନ-ବଜାର ବନ୍ଦ ରହିଥିବା ରିପୋର୍ଟ ମିଳିଛି।
ଦୀପାବଳି ଏବଂ ଆଗାମୀ ପାର୍ବଣ ଋତୁ ପାଇଁ ବଜାରଗୁଡ଼ିକରେ ଗ୍ରାହକଙ୍କ ପ୍ରବଳ ଭିଡ଼ ହେବାର ଥିଲା। ମାତ୍ର ସୁରକ୍ଷା ବ୍ୟବସ୍ଥା ଓ କଡ଼ା କଟକଣା ଯୋଗୁଁ ସ୍ଥାନୀୟ ଗ୍ରାହକଙ୍କ ସମେତ ପ୍ରତିଦିନ ଅନ୍ୟ ରାଜ୍ୟରୁ ଆସୁଥିବା ୩ ରୁ ୪ ଲକ୍ଷ ବ୍ୟବସାୟୀ ଓ କ୍ରେତା ଦିଲ୍ଲୀରେ ପହଞ୍ଚିପାରି ନାହାନ୍ତି। ଏହାସହିତ ୧୦ କିଲୋମିଟର ପରିଧି ମଧ୍ୟରେ ପରିବହନ ବ୍ୟବସ୍ଥା ଏବଂ ମାଲ୍ ପରିବହନ (ଲୋଡିଂ-ଅନଲୋଡିଂ) ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।
ସିଟିଆଇର ଆକଳନ ଅନୁଯାୟୀ, ପାର୍ବଣ ସମୟରେ ଦିଲ୍ଲୀର ଗୋଟିଏ ଗୋଟିଏ ବଜାରରେ ଦୈନିକ ୩୦୦ ରୁ ୮୦୦ କୋଟି ଟଙ୍କାର କାରବାର ହୋଇଥାଏ। ମାତ୍ର ରବିବାର ଏହି ବୃହତ ରାଲି କାରଣରୁ ଦିଲ୍ଲୀର ବିଭିନ୍ନ ବାଣିଜ୍ୟିକ କ୍ଷେତ୍ରକୁ ମିଶାଇ ପାଖାପାଖି ୧୦,୦୦୦ ରୁ ୧୧,୦୦୦ କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହୋଇଛି, ଯାହା ବ୍ୟବସାୟୀଙ୍କ ପାଇଁ ଏକ ବଡ଼ ଝଟ୍କା।