ନୂଆଦିଲ୍ଲୀ: କଂଗ୍ରେସ ଏବଂ ‘ଇଣ୍ଡିଆ’ (INDIA) ମେଣ୍ଟର ପ୍ରତିକାତ୍ମକ ସଂସଦ ଆୟୋଜନକୁ ନେଇ କଡ଼ା ସମାଲୋଚନା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ବିଜେପି ମୁଖପାତ୍ର ସମ୍ବିତ ପାତ୍ର ବିରୋଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ଯଦି ଆପଣମାନେ ପ୍ରତିକାତ୍ମକ ସଂସଦ ବସାଉଛନ୍ତି, ତେବେ ରାହୁଲ ଗାନ୍ଧୀଙ୍କୁ ଜୀବନସାରା ଆପଣଙ୍କ ‘ମକ୍ ପ୍ରଧାନମନ୍ତ୍ରୀ’ ଭାବେ ବସାଇ ରଖନ୍ତୁ, ଆମର କୌଣସି ଅପତ୍ତି ନାହିଁ।
ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସମ୍ବିତ ପାତ୍ର ଏବଂ ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ ବିରୋଧୀଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି। ସେମାନେ କହିଛନ୍ତି ଯେ ବିଶ୍ୱବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁସାରେ ଭାରତରେ ଅତ୍ୟଧିକ ଦାରିଦ୍ର୍ୟ ହାର ୨୦୧୧ରୁ ୨୦୨୩ ମଧ୍ୟରେ ୨୭.୧ ପ୍ରତିଶତରୁ ଖସି ଆସି ମାତ୍ର ୨.୬ ପ୍ରତିଶତରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପ୍ରାୟ ୫୦ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ମୁକ୍ତ ହୋଇଛନ୍ତି। ଏହି ରିପୋର୍ଟ ଆସିବା ପରେ ବିରୋଧୀଙ୍କ ପ୍ରତିକାତ୍ମକ ସଂସଦ କେବଳ ଏକ ମଜାକ ପାଲଟିଯାଇଛି।
"ପ୍ରଥମ ଭୋଟ୍ ଚୋରି ନେହେରୁ କରିଥିଲେ"
କଂଗ୍ରେସର 'ଭୋଟ୍ ଚୋରି' ଅଭିଯୋଗକୁ ପାଲଟା ଜବାବ ଦେଇ ସମ୍ବିତ ପାତ୍ର କହିଛନ୍ତି ଯେ, "ଦେଶରେ ପ୍ରଥମ ଭୋଟ୍ ଚୋରି କଂଗ୍ରେସ ନେତା ପଣ୍ଡିତ ଜବାହରଲାଲ ନେହେରୁ କରିଥିଲେ।" ସେ ଅଭିଯୋଗ କରିଛନ୍ତି ଯେ ସରଦାର ବଲ୍ଲଭଭାଇ ପଟେଲଙ୍କ ସମର୍ଥନକୁ ଅଣଦେଖା କରି ଏବଂ ଗଣତାନ୍ତ୍ରିକ ପରମ୍ପରାକୁ ଭୁଲ୍ ପ୍ରମାଣିତ କରି ନେହେରୁ ନିଜେ ପ୍ରଧାନମନ୍ତ୍ରୀ ହୋଇଥିଲେ।
ରାହୁଲ ଗାନ୍ଧୀଙ୍କୁ ନେଇ କଂଗ୍ରେସକୁ କଟାକ୍ଷ
ବିଜେପି ନେତାମାନେ କହିଛନ୍ତି ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଯେତେଥର ଲଞ୍ଚ କରିବାକୁ ଚେଷ୍ଟା କଲେ ମଧ୍ୟ ତାହା ସଫଳ ହେବ ନାହିଁ। "ଏହି ସାଟେଲାଇଟ୍ କେବେ ବି ଲଞ୍ଚ ହେବ ନାହିଁ, କାରଣ ଏହା ପାଖରେ ଆଗକୁ ବଢ଼ିବା ପାଇଁ କୌଣସି ଇନ୍ଧନ ନାହିଁ," ବୋଲି ପାତ୍ର କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣମାନେ ଦୈନନ୍ଦିନ ଭଜନ-କୀର୍ତ୍ତନ ପରି ‘ପ୍ରଧାନମନ୍ତ୍ରୀ, ପ୍ରଧାନମନ୍ତ୍ରୀ’ ଜପ କରନ୍ତୁ, କିନ୍ତୁ ରାହୁଲ ଗାନ୍ଧୀଙ୍କୁ ଆଜୀବନ ସେହି ପଦରେ କଳ୍ପନା କରି ଆପଣଙ୍କ ରାଜନୈତିକ ଜନାଜା ସଜାଉଥାନ୍ତୁ।