ନୂଆଦିଲ୍ଲୀ: ବାରମ୍ବାର ବିଜେପି ସରକାରଙ୍କ ଉପରେ ଭୋଟ ଚୋରିର ଅଭିଯୋଗ ଆଣୁଥିବା କଂଗ୍ରେସକୁ ଭାରତୀୟ ଜନତା ପାର୍ଟି ଆଜି ମୁହଁତୋଡ଼ ଜବାବ ଦେଇଛି । ବିଜେପି ମୁଖପାତ୍ର ତଥା ସାଂସଦ ସମ୍ବିତ ପାତ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଛନ୍ତି। 'ଭୋଟ୍ ଚୋରି' ପ୍ରସଙ୍ଗ ଉଠାଇ ସେ ଦାବି କରିଛନ୍ତି ଯେ, ଦେଶରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଜବାହରଲାଲ ନେହେରୁଙ୍କ ସମୟରେ ଘଟିଥିଲା। ସେ ଅଭିଯୋଗ କରିଛନ୍ତି ଯେ, ସର୍ଦ୍ଦାର ପଟେଲଙ୍କ ଭୋଟ୍ ଚୋରି କରି ନେହେରୁ ପ୍ରଧାନମନ୍ତ୍ରୀ ପଦରେ ବସିଥିଲେ ।
ସମ୍ବିତ ପାତ୍ର କଂଗ୍ରେସର ମକ୍ ସଂସଦ କାର୍ଯ୍ୟକ୍ରମ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ଆଜି ଯେତେବେଳେ ମଲ୍ଲିକାର୍ଜୁନ ଖଡ଼ଗେ ଭୋଟ୍ ଚୋରି ବିଷୟରେ କହୁଥିଲେ, ସେତେବେଳେ ତାଙ୍କ ମନକୁ ଆସିଲା ଯେ ପ୍ରକୃତରେ ଭୋଟ୍ ଚୋରି କେଉଁଠୁ ହୋଇଥିଲା, ପଣ୍ଡିତ ନେହେରୁ ଭୋଟ୍ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଥିଲେ। କଂଗ୍ରେସ ଦଳ ଏକ 'ନକଲି ସଂସଦ' ଆୟୋଜନ କରୁଛି, କିନ୍ତୁ ଭୋଟ୍ ଚୋରିର ପ୍ରଥମ ଘଟଣା ନେହେରୁ ଜୀ ହିଁ ଘଟାଇଥିଲେ।
ପ୍ରଧାନମନ୍ତ୍ରୀ ଚୟନ ପାଇଁ ଏକ ଭୋଟ୍ ଗ୍ରହଣ କରାଯାଇଥିଲା, ଯେଉଁଥିରେ ସର୍ଦ୍ଦାର ପଟେଲ ମଧ୍ୟ ଜଣେ ପ୍ରାର୍ଥୀ ଥିଲେ । କିନ୍ତୁ ସର୍ଦ୍ଦାର ପଟେଲଙ୍କ ଭୋଟ୍ଗୁଡ଼ିକୁ 'ଚୋରି' କରି ନିଆଯାଇଥିଲା, ଯାହା ଫଳରେ ତାଙ୍କ ବଦଳରେ ନେହେରୁ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ।
ନିର୍ବାଚନ ଆୟୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କଂଗ୍ରେସ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ନିନ୍ଦା କରିଛି ବିଜେପି । ସମ୍ବିତ ଦୃଢ଼ତାର ସହ କହିଛନ୍ତି ଯେ କଂଗ୍ରେସ ଦଳ ଓ ଏହାର କିଛି ସହଯୋଗୀ ଦଳ ଗଣତନ୍ତ୍ରକୁ ଉପହାସର ପାତ୍ର କରୁଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ ଦାବି କରିଛନ୍ତି ଯେ ଭାରତରେ ୧୩ କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଛି। ଯଦି ଏହା ସତ ହୁଏ, ତେବେ ସେହି ୧୩ କୋଟି ଲୋକ ରାଜରାସ୍ତାକୁ ଓହ୍ଲାଇ ଆସିବେ।
ବର୍ତ୍ତମାନ କଂଗ୍ରେସ ଦଳ ଦ୍ୱାରା କରାଯାଉଥିବା ଏହି ନାଟକ, ଯାହାକୁ ଏକ 'ନକଲି ସଂସଦ' କୁହାଯାଇପାରେ । ତାହା ପ୍ରକୃତରେ ସଂସଦର ଏକ ଉପହାସ ଅଟେ। ସେଠାରେ ଉପସ୍ଥିତ ଥିବା ସମସ୍ତ ବକ୍ତା ଏବଂ ଅଂଶଗ୍ରହଣକାରୀମାନେ ଏହା ଉପରେ ଧ୍ୟାନ ଦେବା ଉଚିତ୍। ସେ କହିଲେ ଯେ, ଭାରତରେ ମୋଟ ୧୨ ଥର ଏସ୍ଆଇଆର୍ କରାଯାଇଛି, ଯେଉଁଥିରୁ ୧୦ ଥର କଂଗ୍ରେସ ଦଳର ଶାସନ କାଳରେ ହୋଇଥିଲା।
ବଙ୍ଗଳାରେ, ଅନେକ ମୃତ ବ୍ୟକ୍ତିଙ୍କ ନାମ ବ୍ୟବହାର କରି 'ଭୂତ ଭୋଟ୍' ଦିଆଯାଉଥିଲା। ମମତା ବାନାର୍ଜୀଙ୍କ ପାଖରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଥିଲା; କେଉଁ ଅଞ୍ଚଳ, ପଡ଼ୋଶୀ ଅଞ୍ଚଳ କିମ୍ବା କଲୋନୀରେ କେତେ ଜଣ ଲୋକଙ୍କର ମୃତ୍ୟୁ ହୋଇଛି, ସେ ବିଷୟରେ ସେ ସଠିକ୍ ଭାବରେ ଜାଣିଥିଲେ। ଏଥିପାଇଁ ସୁବ୍ୟବସ୍ଥିତ ଭାବରେ ତାଲିକା ପ୍ରସ୍ତୁତ କରାଯାଉଥିଲା ଏବଂ ନିର୍ବାଚନ ଦିନ ଟିଏମସି କର୍ମୀମାନେ ଏହି 'ନକଲି ଭୋଟ୍' ଦେଉଥିଲେ। 'ଏସଆଇଆର୍' (SIR) ପ୍ରକ୍ରିୟା ଯୋଗୁଁ ନକଲି ଭୋଟ୍ ଦିଆଯାଇପାରିଲା ନାହିଁ । ତେଣୁ, ଆଜି ଯେଉଁ ନିରାଶା ଦେଖିବାକୁ ମିଳୁଛି, ତାହା ଏକ ସ୍ୱାଭାବିକ ପରିଣାମ ଅଟେ।