ଭୁବନେଶ୍ୱର: ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହାପରେ ମାମଲାରେ ତାଙ୍କ ଆଗାମୀ ଆଇନଗତ ପଦକ୍ଷେପକୁ ନେଇ ଚର୍ଚ୍ଚା ବଢ଼ିଛି।
ଗିରଫଦାରୀରୁ ସୁରକ୍ଷା ପାଇଁ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଏହା ପୂର୍ବରୁ କୋର୍ଟ ତାଙ୍କୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିବା ସହ ତଦନ୍ତକାରୀ ସଂସ୍ଥାକୁ କେସ୍ ଡାଏରୀ ଦାଖଲ କରିବାକୁ କହିଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ ସର୍ବୋଚ୍ଚ ଅଦାଲତ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିବା ସହ ଆଇନ ଅନୁଯାୟୀ ଆଗୁଆ ଜାମିନ ଆବେଦନ କରିବାକୁ ଅନୁମତି ଦେଇଥିଲେ।
ଅନ୍ୟପଟେ, ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପାରଳାଖେମୁଣ୍ଡି SDJM କୋର୍ଟ ଏହି ମାମଲାରେ IPCର ଧାରା ୩୦୨ (ହତ୍ୟା) ଏବଂ ୧୨୦-B (ଅପରାଧିକ ଷଡ଼ଯନ୍ତ୍ର) ଅନୁସାରେ ସଂଜ୍ଞାନ ଗ୍ରହଣ କରିଛନ୍ତି।
ପୂର୍ବରୁ ଅକ୍ଟୋବର ୧ ତାରିଖ ପରିବର୍ତ୍ତେ ଅକ୍ଟୋବର ୩୦ ସୁଦ୍ଧା ନିମ୍ନ ଅଦାଲତରେ ହାଜର ହେବା ପାଇଁ ବିଦ୍ୟାଭାରତୀଙ୍କୁ ସମୟ ଦେଇଥିଲେ ହାଇକୋର୍ଟ। କିନ୍ତୁ ନିର୍ଦ୍ଧାରିତ ସମୟରେ ନିମ୍ନ ଅଦାଲତରେ ହାଜର ହେବା ପରିବର୍ତ୍ତେ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ।
୨୦୨୧ରୁ ଚାଲିଛି ମାମଲା
୨୦୨୧ ଜୁଲାଇ ୧୨ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ ACF ସୌମ୍ୟରଞ୍ଜନ ମହାପାତ୍ର। ପରଦିନ ଅର୍ଥାତ୍ ଜୁଲାଇ ୧୩ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।
ଏହି ମାମଲାରେ ତତ୍କାଳୀନ DFO ଏବଂ ରୋଷେୟାଙ୍କୁ ପୂର୍ବରୁ ଗିରଫ କରାଯାଇସାରିଛି। ଏବେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ସେ ପରବର୍ତ୍ତୀ ସମୟରେ କେଉଁ ଆଇନଗତ ପଦକ୍ଷେପ ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।