ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ପ୍ରଦୂଷଣମୁକ୍ତ ଓ ସୁରକ୍ଷିତ କରିବାକୁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ପକ୍ଷରୁ କଡ଼ା ନିୟମ ଜାରି ହୋଇଛି। ବାଣ ଫୁଟାଇବାଠାରୁ ଆରମ୍ଭ କରି ବିକ୍ରି ଓ ସଂରକ୍ଷଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କଟକଣା ଲଗାଯାଇଛି। କେବଳ CSIR-NEERI ଦ୍ୱାରା ଅନୁମୋଦିତ ଗ୍ରୀନ୍ କ୍ରାକର୍ସ ବ୍ୟବହାରକୁ ଅନୁମତି ମିଳିବ। ଏଥିରେ ବାଧ୍ୟତାମୂଳକ ଭାବେ QR କୋଡ୍ ଓ CSIR-NEERI ଲୋଗୋ ରହିବା ଆବଶ୍ୟକ।
ବୋର୍ଡର ଆଡଭାଇଜରି ଅନୁସାରେ, ଦୀପାବଳିରେ କେବଳ ରାତି ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇପାରିବେ। ଏହି ସମୟ ବାହାରେ ବାଣ ଫୁଟାଇବା ଉପରେ କଟକଣା ରହିଛି। ବାଣର ଶବ୍ଦ ୪ ମିଟର ଦୂରତାରେ ୧୨୫ ଡେସିବେଲ୍ (dB(AI))ରୁ ଅଧିକ ହେବା ଉଚିତ୍ ନୁହେଁ। ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଏବଂ ବାଣର ମାଳ ଫୁଟାଇବାକୁ ମନା କରାଯାଇଛି।
QR କୋଡ୍ ନଥିଲେ ବାଣ ବିକ୍ରି ମନା
କେବଳ ଅନୁମୋଦିତ ଗ୍ରୀନ୍ କ୍ରାକର୍ସ ବିକ୍ରି ଓ ବ୍ୟବହାର ହୋଇପାରିବ। ବାଣରେ ବାରିୟମ୍ ଏବଂ ଅନ୍ୟ ନିଷିଦ୍ଧ ରାସାୟନିକ ପଦାର୍ଥର ବ୍ୟବହାର ସମ୍ପୂର୍ଣ୍ଣ ନିଷିଦ୍ଧ। ବିକ୍ରେତାମାନେ PESO ନିୟମ ଅନୁସାରେ ଆବଶ୍ୟକ ଲାଇସେନ୍ସ ନେବାକୁ ପଡ଼ିବ। ଏଥିସହ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ବାଣ ବିକ୍ରି ଉପରେ ମଧ୍ୟ ରୋକ୍ ଲଗାଯାଇଛି। କିଣିବା ସମୟରେ ଗ୍ରାହକମାନେ ବାଣରେ ଥିବା QR କୋଡ୍ ଓ ଲୋଗୋ ଯାଞ୍ଚ କରିବାକୁ ବୋର୍ଡ ପରାମର୍ଶ ଦେଇଛି।
ହସ୍ପିଟାଲ୍, ସ୍କୁଲ୍ ଓ ଧାର୍ମିକ ସ୍ଥଳ ନିକଟରେ ବାଣ ମନା
ହସ୍ପିଟାଲ୍, ନର୍ସିଂହୋମ୍, ଶିକ୍ଷାନୁଷ୍ଠାନ, କୋର୍ଟ ଏବଂ ଧାର୍ମିକ ସ୍ଥଳର ୧୦୦ ମିଟର ପରିଧିକୁ ନିରବ ଅଞ୍ଚଳ (Silence Zone) ଭାବେ ଧରାଯିବ। ଏହି ଅଞ୍ଚଳରେ ବାଣ ଫୁଟାଇବା ନିଷିଦ୍ଧ। ଏହାବ୍ୟତୀତ ଝୁମ୍ପୁଡ଼ି, ଚାଳଛପର ଘର, ଦୋକାନ, ଆବାସିକ ଅଞ୍ଚଳ ଓ ଅଗ୍ନିକାଣ୍ଡ ଆଶଙ୍କା ଥିବା ସ୍ଥାନରେ ବାଣ ଫୁଟାଇବାକୁ ବାରଣ କରାଯାଇଛି।
ଛୋଟ ପିଲାଙ୍କ ପାଇଁ ବିଶେଷ ସତର୍କତା
୧୦ ବର୍ଷରୁ କମ୍ ବୟସର ପିଲାମାନେ ଏକୁଟିଆ ବାଣ ଫୁଟାଇପାରିବେ ନାହିଁ। ବିଶେଷକରି ଶବ୍ଦ ସୃଷ୍ଟିକାରୀ ବାଣଠାରୁ ପିଲାଙ୍କୁ ଦୂରେଇ ରଖିବାକୁ କୁହାଯାଇଛି। ବାଣ ଫୁଟାଇବା ସମୟରେ ସୂତା କପଡ଼ା ପିନ୍ଧିବା, ସୁରକ୍ଷିତ ଦୂରତା ରଖିବା ଏବଂ ଆଖିର ସୁରକ୍ଷା ପାଇଁ ଟ୍ରାନ୍ସପାରେଣ୍ଟ ସେଫ୍ଟି ଗଗଲ୍ସ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଜରୁରୀକାଳୀନ ପରିସ୍ଥିତି ପାଇଁ ପାଖରେ ପାଣି କିମ୍ବା ବାଲି ଭର୍ତ୍ତି ବାଲ୍ଟି ରଖିବାକୁ ମଧ୍ୟ କୁହାଯାଇଛି।
ବାଣର ଶବ୍ଦ ଓ ଧୂଆଁଠାରୁ ଗୃହପାଳିତ ପଶୁପକ୍ଷୀ, ବୟସ୍କ ବ୍ୟକ୍ତି ଏବଂ ଶ୍ୱାସଜନିତ ସମସ୍ୟା ଥିବା ଲୋକଙ୍କୁ ଦୂରେଇ ରଖିବାକୁ ବୋର୍ଡ ପରାମର୍ଶ ଦେଇଛି। ନିୟମ ଉଲ୍ଲଂଘନ କଲେ ଓଡ଼ିଶା ଫାୟାରୱାର୍କ୍ସ ଆଣ୍ଡ ଲାଉଡ୍ସ୍ପିକର୍ (ରେଗୁଲେସନ୍) ଆକ୍ଟ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ ନିୟମ, ୨୦୦୦ ଅନୁସାରେ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ହୋଇପାରେ। ତେଣୁ ଅଧିକ ବାଣ ଫୁଟାଇବା ପରିବର୍ତ୍ତେ ଦୀପ, ଆଲୋକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପରିବେଶ ଅନୁକୂଳ ଦୀପାବଳି ପାଳନ କରିବାକୁ OSPCB ଅପିଲ୍ କରିଛି।