ଭୁବନେଶ୍ୱର: ପ୍ରବଳ ବର୍ଷା ପରେ ଓଡ଼ିଶାରେ ବନ୍ୟା ଓ ଭୂସ୍ଖଳନ ସ୍ଥିତି ସାଂଘାତିକ ରୂପ ନେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏଯାଏଁ ୪ ଜଣଙ୍କ ଜୀବନ ଯାଇଥିବା ନେଇ ଶନିବାର ସ୍ପଷ୍ଟ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)।
ଅଧିକାରୀଙ୍କ ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ରାଇକିଆ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗଜପତି ଜିଲ୍ଲାରେ ଜଣେ ବ୍ୟକ୍ତି ପାଣିର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି। ବଢ଼ୁଥିବା ଜଳସ୍ତର ମଧ୍ୟରେ ଶୌଚ ପାଇଁ ଯାଇଥିବାବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଗିଡ଼ିପାବାଲି ଅଞ୍ଚଳରେ ଭୂସ୍ଖଳନ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏଠାରେ ମାଟି ଓ ପଥର ଅତଡ଼ା ତଳେ ୧୩ ଜଣ ନିଖୋଜ ଥିବା ନେଇ ସରକାରୀ ଆକଳନ କରାଯାଇଛି। ତେବେ ଉଦ୍ଧାରକାରୀ ଦଳ ଜଣେ ବୃଦ୍ଧାଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ତାଙ୍କ ନାଁ ତାରାବତୀ ପ୍ରଧାନ। ମାଟି ଅତଡ଼ା ତଳୁ ତାଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି। ଏବେ ନିଖୋଜ ୧୨ ଜଣଙ୍କୁ ଖୋଜାଖୋଜି ଚାଲିଛି।
ବର୍ତ୍ତମାନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ODRAF ଓ ଅଗ୍ନିଶମ ବାହିନୀର ଯବାନମାନେ ନିଖୋଜଙ୍କୁ ଖୋଜିବା ପାଇଁ ଅଭିଯାନ ଜାରି ରଖିଛନ୍ତି। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ କଡ଼ା ନଜର ରଖାଯିବା ସହ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଛି।
SRCଙ୍କ ସୂଚନା ଅନୁସାରେ, ବର୍ତ୍ତମାନ କେବଳ ଗଞ୍ଜାମ ଜିଲ୍ଲାରେ ବନ୍ୟା ସ୍ଥିତି ରହିଛି। ତେବେ ଋଷିକୁଲ୍ୟା ନଦୀର ଜଳସ୍ତର ବିପଦ ସଂକେତ ତଳେ ରହିଛି। ଜିଲ୍ଲାରେ ମୋଟ ୩୬୭ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ଏହି କ୍ୟାମ୍ପରେ ଆଶ୍ରୟ ଦେବା ସହ ରିଲିଫ୍ ସାମଗ୍ରୀ ଓ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।
ଜିଲ୍ଲାର ପ୍ରାୟ ସମସ୍ତ ଗାଁକୁ ଯୋଗାଯୋଗ ସ୍ଥାପନ ହୋଇଥିବା ବେଳେ ଗୋଟିଏ ଗାଁ ଏବେ ବି ଅପହଞ୍ଚ ହୋଇ ରହିଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ଏହି ଗାଁକୁ ଆକାଶ ମାର୍ଗରୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି।
ସେହିପରି ଗଜପତି ଜିଲ୍ଲାରେ ୨୧ ହଜାର ୭୮୨ ଜଣ ବର୍ଷା ଓ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ସେଠାରେ ୩୪୦ଟି ରିଲିଫ୍ କ୍ୟାମ୍ପ କରାଯାଇଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ ଓ ଲୋକଙ୍କୁ ସହାୟତା ଯୋଗାଇବା କାର୍ଯ୍ୟ ଜାରି ରହିଛି।