ବଲିଉଡ୍ରେ ଏବେ କେବଳ ‘ଧୁରନ୍ଧର’ର ଜଲୱା। IIFA Awards 2026ରେ ଆଦିତ୍ୟ ଧରଙ୍କ ନିର୍ଦ୍ଦେଶିତ ଏହି ସ୍ପାଏ ଆକ୍ସନ୍ ଫିଲ୍ମ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଛି। ଗୋଟିଏ କି ଦୁଇଟି ନୁହେଁ, ମୋଟ ୧୨ଟି ପୁରସ୍କାର ଜିତି ଆୱାର୍ଡ ଶୋ’ରେ ନିଜ ଦବଦବା ଦେଖାଇଛି ଏହି ଫିଲ୍ମ। ଶୁକ୍ରବାର, ଅକ୍ଟୋବର ୩୦ରେ ଶେଷ ହୋଇଥିବା ୨୬ତମ IIFA Awardsରେ ‘ଧୁରନ୍ଧର’ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଭିନେତା ସମେତ ଅନେକ ପ୍ରମୁଖ ପୁରସ୍କାର ହାତେଇଛି।
ଫିଲ୍ମରେ ଦମଦାର ଅଭିନୟ ପାଇଁ ରଣବୀର ସିଂହ ଶ୍ରେଷ୍ଠ ଅଭିନେତା (ଲିଡ୍ ରୋଲ୍) ପୁରସ୍କାର ପାଇଛନ୍ତି। ସେହିପରି ‘ସାୟାରା’ ଫିଲ୍ମରେ ଅଭିନୟ ପାଇଁ ଡେବ୍ୟୁଟାଣ୍ଟ ଅନୀତ ପଡ୍ଡା ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଛନ୍ତି। ‘ଧୁରନ୍ଧର’ ପାଇଁ ସଞ୍ଜୟ ଦତ୍ତ ଶ୍ରେଷ୍ଠ ସହ-ଅଭିନେତା ଏବଂ ଅକ୍ଷୟ ଖାନ୍ନା ନେଗେଟିଭ୍ ରୋଲ୍ରେ ଶ୍ରେଷ୍ଠ ଅଭିନୟ ପୁରସ୍କାର ଜିତିଛନ୍ତି। ‘ଜଲି ଏଲ୍ଏଲ୍ବି ୩’ ପାଇଁ ହୁମା କୁରେଶୀ ଶ୍ରେଷ୍ଠ ସହ-ଅଭିନେତ୍ରୀ ହୋଇଛନ୍ତି।
ସଙ୍ଗୀତ ବିଭାଗରେ ମଧ୍ୟ ‘ଧୁରନ୍ଧର’ର ଦବଦବା ରହିଛି। ଫିଲ୍ମର ସଙ୍ଗୀତ ପାଇଁ ଶାଶ୍ୱତ ସଚଦେବ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି। ଅନ୍ୟପଟେ ‘ସାୟାରା’ ଗୀତ ବିଭାଗରେ ଦମ୍ ଦେଖାଇଛି। ଇରଶାଦ କାମିଲ ଶ୍ରେଷ୍ଠ ଗୀତିକାର, ଫହିମ ଅବଦୁଲ୍ଲା ଶ୍ରେଷ୍ଠ ପୁରୁଷ ପ୍ଲେବ୍ୟାକ୍ ସିଙ୍ଗର ଏବଂ ଶ୍ରେୟା ଘୋଷାଲ ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ସିଙ୍ଗର ହୋଇଛନ୍ତି।
ସେହିପରି ‘ଛାଭା’ ଟେକ୍ନିକାଲ୍ ବିଭାଗରେ ଏକାଧିକ ପୁରସ୍କାର ଜିତିଛି। ଏ.ଆର୍. ରହମାନ ଶ୍ରେଷ୍ଠ ବ୍ୟାକଗ୍ରାଉଣ୍ଡ ସ୍କୋର, ଆଲୋକ ଦେ ଶ୍ରେଷ୍ଠ ସାଉଣ୍ଡ ମିକ୍ସିଂ ଏବଂ ଆସେମ୍ବଲେଜ୍ ଏଣ୍ଟରଟେନମେଣ୍ଟ ଓ ରିଡିଫାଇନ୍ ଶ୍ରେଷ୍ଠ ଭିଜୁଆଲ୍ ଇଫେକ୍ଟସ୍ ପୁରସ୍କାର ପାଇଛନ୍ତି।
ଡିଜିଟାଲ୍ ବର୍ଗରେ କିଏ ଜିତିଲେ?
ଡିଜିଟାଲ୍ ଫିଲ୍ମ ବର୍ଗରେ ‘ବରମୁଲ୍ଲା’ ଶ୍ରେଷ୍ଠ ଫିଲ୍ମ ଓ ଶ୍ରେଷ୍ଠ ମୌଳିକ କାହାଣୀ ପୁରସ୍କାର ପାଇଛି। ‘ଷ୍ଟୋଲେନ୍’ ପାଇଁ କରନ ତେଜପାଲ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଅଭିଷେକ ବାନାର୍ଜୀ ଶ୍ରେଷ୍ଠ ଅଭିନେତା ହୋଇଛନ୍ତି। ‘ମିସେସ୍’ ପାଇଁ ସାନ୍ୟା ମାଲହୋତ୍ରା ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି।
ଡିଜିଟାଲ୍ ସିରିଜ୍ ବର୍ଗରେ ‘ଦି ବ୍ୟାଡ୍ସ ଅଫ୍ ବଲିଉଡ୍’ ଶ୍ରେଷ୍ଠ ସିରିଜ୍ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ପାଇଁ ଆର୍ଯ୍ୟନ ଖାନ୍ ପୁରସ୍କୃତ ହୋଇଛନ୍ତି। ‘ପାତାଳ ଲୋକ୍ ସିଜନ୍ ୨’ ପାଇଁ ଜୟଦୀପ ଅହଲାୱତ ଓ ତିଲୋତ୍ତମା ଶୋମେ ଅଭିନୟ ବର୍ଗରେ ସମ୍ମାନ ପାଇଛନ୍ତି। ମୋଟାମୋଟି ଭାବେ IIFA 2026ରେ ‘ଧୁରନ୍ଧର’ର ୧୨ଟି ପୁରସ୍କାର ବିଜୟ ଏହି ସମାରୋହର ମୁଖ୍ୟ ଆକର୍ଷଣ ପାଲଟିଛି।