କୋଲକାତା: ପଞ୍ଜାବ ପୋଲିସର 'ଷ୍ଟେଟ୍ ସ୍ପେଶାଲ୍ ଅପରେସନ୍ସ ସେଲ୍' ପଶ୍ଚିମବଙ୍ଗର ଅଲିପୁରଦୁଆର ଜିଲ୍ଲା ଅନ୍ତର୍ଗତ ହାସିମାରାରୁ ଜଣେ ସେନା ଯବାନଙ୍କୁ ଗିରଫ କରିଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା 'ଆଇଏସ୍ଆଇ'କୁ ଭାରତୀୟ ସେନାର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଯବାନ ରାଜବୀର ସିଂହଙ୍କୁ ଗିରଫ କରାଯାଇଛି । ଯିଏ ଆସାମର ମୂଳ ବାସିନ୍ଦା ଅଟନ୍ତି। ସେ ହାସିମାରାରେ ମୁତୟନ ଥିବା ସେନାର '୧୫ ଜାଟ୍ ରେଜିମେଣ୍ଟ'ରେ କାର୍ଯ୍ୟରତ ଥିଲେ।
ପଞ୍ଜାବ ପୋଲିସ ତାଙ୍କୁ ଗତକାଲି ଗିରଫ କରିଛି । ପଞ୍ଜାବ ପୋଲିସ ରାଜବୀର ସିଂହଙ୍କୁ ପଞ୍ଜାବ ଆଣିବାକୁ ବାଗଡୋଗ୍ରା ବିମାନବନ୍ଦରରେ ପହଁଚିଥିଲା । ମାତ୍ର କିଛି ବୈଷୟିକ ତ୍ରୁଟି କାରଣରୁ ତାଙ୍କୁ ପଞ୍ଜାବ ନେବାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇପାରି ନଥିଲା। ଫଳସ୍ୱରୂପ ଶୁକ୍ରବାର ଦିନ ତାଙ୍କୁ ଶିଲିଗୁଡ଼ିର ଏକ ଅଦାଲତରେ ହାଜର କରାଯାଇଛି । ଶିଲିଗୁଡ଼ି ଏସିଜେଏମ୍ କୋର୍ଟର ସରକାରୀ ଓକିଲ ସୌମିତ୍ର ସିଂହ ସରକାର କହିଛନ୍ତି ଯେ, ପଞ୍ଜାବ ପୋଲିସ ରାଜବୀର ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଅଦାଲତରେ ହାଜର କରିଥିଲା ଏବଂ ତାଙ୍କର ଆଇଏସ୍ଆଇ ସହ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ କରିଥିଲା। ଅଦାଲତ ତାଙ୍କୁ 'ଟ୍ରାଞ୍ଜିଟ୍ ରିମାଣ୍ଡ' ରେ ପଞ୍ଜାବ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି।
ଭାରତୀୟ ସେନା ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ଆଇଏସ୍ଆଇକୁ ଦିଆଯାଉଥିବା ନେଇ ପଞ୍ଜାବ ପୋଲିସ ସୂଚନା ପାଇଥିଲା। ପଞ୍ଜାବର ଫାଜିଲକା ପୋଲିସ ଅକ୍ଟୋବର ୮ ତାରିଖରେ ଗୁରନୌର ସିଦ୍ଧୁ ନାମ୍ନୀ ଜଣେ ମହିଳାଙ୍କୁ ଗିରଫ କରିଛି। ତଦନ୍ତ ସମୟରେ ଜଣାପଡ଼ିଛି ଯେ ସେ ଆଇଏସ୍ଆଇ ସହ ଯୋଗାଯୋଗରେ ଥିଲେ। ତଦନ୍ତରୁ ଦିଲପ୍ରୀତ ସିଂହ ଏବଂ ରାଜବୀର ସିଂହଙ୍କ ନାମ ସାମ୍ନାକୁ ଆସିଥିଲା । ଉଭୟ ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ସେମାନେ ସେନା ସମ୍ବନ୍ଧୀୟ ଗୋପନୀୟ ତଥ୍ୟ ପ୍ରଦାନ କରିବାରେ ଉକ୍ତ ମହିଳାଙ୍କୁ ସହାୟତା କରୁଥିଲେ। ତାଙ୍କ ନିକଟରୁ ଗୋଟିଏ ଟ୍ୟାବଲେଟ୍ ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।