ଏମ୍ସ ଗୋରଖପୁରର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡକ୍ଟର ବିଭା ଦତ୍ତାଙ୍କର ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା କରାଇବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଏମ୍ସର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବାକୁ ଲାଗିଲା। ଏସବୁ ମଧ୍ୟରେ ଏବେ ଡକ୍ଟର ବିଭା ଦତ୍ତାଙ୍କ ଆନୁଷ୍ଠାନିକ ପକ୍ଷ ସାମ୍ନାକୁ ଆସିଛି। ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ସହ କଥା ହୋଇ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡକ୍ଟର ବିଭା ଦତ୍ତା ସ୍ପଷ୍ଟ କରିଛନ୍ତି ଯେ ଡାକ୍ତରମାନଙ୍କୁ ହୃଦୟ ସହ ଜଡ଼ିତ କୌଣସି ଗୁରୁତର ସମସ୍ୟା (କ୍ୟାଥ୍ ଲ୍ୟାବ୍ର ଆବଶ୍ୟକତା) ର ସନ୍ଦେହ ହୋଇଥିଲା,ଯେଉଁଥିପାଇଁ ତାଙ୍କୁ ସାବଧାନତା କାରଣରୁ ପ୍ରାଇଭେଟ୍ ହସ୍ପିଟାଲକୁ ନିଆଯାଇଥିଲା।
ଡକ୍ଟର ବିଭା ଦତ୍ତା ଜଣାଇଛନ୍ତି ଯେ ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସହକର୍ମୀମାନଙ୍କୁ ଲାଗିଲା ଯେ କାଳେ ହୃଦୟର କୌଣସି ଗୁରୁତର ସମସ୍ୟା ଥାଇପାରେ ଏବଂ କ୍ୟାଥ୍ ଲ୍ୟାବର ଆବଶ୍ୟକତା ପଡ଼ିପାରେ। ଯେହେତୁ ଏମ୍ସରେ କ୍ୟାଥ୍ ଲ୍ୟାବ୍ ନିର୍ମାଣାଧୀନ ଅଛି, ସେଥିପାଇଁ ସାବଧାନତା ବଶତଃ ସେମାନେ ତାଙ୍କୁ ପ୍ରାଇଭେଟ୍ ହସ୍ପିଟାଲକୁ ନେଇଯାଇଥିଲେ।
ସେ କହିଛନ୍ତି, "ପ୍ରାଇଭେଟ୍ ହସ୍ପିଟାଲରେ ଡାକ୍ତରମାନେ ମୋର ଟେଷ୍ଟ୍ ରିପୋର୍ଟ ଦେଖିଲେ, ଯାହା ସମ୍ପୂର୍ଣ୍ଣ ନର୍ମାଲ୍ ଥିଲା। ସେମାନେ କୌଣସି ଚିକିତ୍ସା କିମ୍ବା ଆଡ୍ମିଶନ୍ (ଭର୍ତ୍ତି) କଲେନାହିଁ ଏବଂ ଆମେ ମାତ୍ର ଆଧା ଘଣ୍ଟା ମଧ୍ୟରେ ସେଠାରୁ ଫେରିଆସିଲୁ।" ସେହିପରି, ଏମ୍ସରେ ଅତ୍ୟାବଶ୍ୟକ ‘କ୍ୟାଥ୍ ଲ୍ୟାବ୍’ର ଅନୁପଲବ୍ଧତା ଏବଂ ନିର୍ମାଣ ପ୍ରକ୍ରିୟା ଉପରେ ନିର୍ଦ୍ଦେଶକ ବିସ୍ତୃତ ସୂଚନା ଦେଇଛନ୍ତି। ଡକ୍ଟର ବିଭା ଦତ୍ତା ଜଣାଇଛନ୍ତି ଯେ କ୍ୟାଥ୍ ଲ୍ୟାବ୍ କୌଣସି ଛୋଟ ସେଟ୍ଅପ୍ ନୁହେଁ, ଏଥିରେ ବ୍ୟବହୃତ ହେଉଥିବା ଉପକରଣଗୁଡ଼ିକ ଅତ୍ୟନ୍ତ ମହଙ୍ଗା ଏବଂ ଅତ୍ୟାଧୁନିକ ହୋଇଥାଏ। ଏଥିପାଇଁ ସେ ମନ୍ତ୍ରଣାଳୟରୁ ୧୪ ରୁ ୧୫ କୋଟି ଟଙ୍କାର ସ୍ୱତନ୍ତ୍ର ବଜେଟ୍ ମାଗିଥିଲେ ଏବଂ ମଞ୍ଜୁରୀ ମଧ୍ୟ ମିଳିସାରିଛି।
‘ଗୋରଖପୁରର କୌଣସି ବି ସରକାରୀ ହସ୍ପିଟାଲରେ କ୍ୟାଥ୍ ଲ୍ୟାବ୍ ନାହିଁ’
ସେ ଦାବି କରିଛନ୍ତି ଯେ ଗୋରଖପୁରର କୌଣସି ବି ସରକାରୀ ହସ୍ପିଟାଲରେ କ୍ୟାଥ୍ ଲ୍ୟାବ୍ ନାହିଁ, କିନ୍ତୁ ଏମ୍ସରେ ଏହାର ପ୍ରତିଷ୍ଠା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି ଏବଂ ଡିସେମ୍ବର ୨୦୨୬ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଯିବ। ଏହାପରେ ଏଞ୍ଜିଓପ୍ଲାଷ୍ଟି, ଷ୍ଟଣ୍ଟ୍ ଏବଂ ପେସ୍ମେକର୍ ଲଗାଇବା ଭଳି ସମସ୍ତ କାମ ଏମ୍ସରେ ହିଁ ହେବ। ନିର୍ଦ୍ଦେଶକ କହିଛନ୍ତି ଯେ କାର୍ଡିଓଲୋଜି ସହ ଜଡ଼ିତ ବାକି ସମସ୍ତ ଜରୁରୀ ପରୀକ୍ଷାଗୁଡ଼ିକର ବ୍ୟବସ୍ଥା ଏମ୍ସ ଗୋରଖପୁରରେ ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ରହିଛି।