ଅହମ୍ମଦାବାଦ: ଦେଶର ଯୁବଶକ୍ତି ବିକଶିତ ଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ କିଛି ଲୋକଙ୍କୁ ଏହା ପସନ୍ଦ ଆସୁନାହିଁ । ଦେଶରେ ସଙ୍କଟ ଆସିଲେ ସେମାନଙ୍କୁ ଖୁସି ମିଳୁଛି । ଆଜି ଗୁଜରାଟ ବନାସକାଣ୍ଠାରେ ବିଭିନ୍ନ ଲୋକାଭିମୁଖି ଯୋଜନାର ଶୁଭାରମ୍ଭ କରିବା ଅବସରରେ ବିରୋଧୀଙ୍କ ଉପରେ ଏମିତି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ପ୍ରଧାନମନ୍ତ୍ରୀ ତାଙ୍କର ଅଭିଭାଷଣରେ ଦେଶରେ ଆସୁଥିବା ସଙ୍କଟବେଳେ ବିରୋଧୀଙ୍କ ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି । ମୋଦୀ କହିଛନ୍ତି ଯେ ଦେଶରେ ଯେତେବେଳେ ସଙ୍କଟ ଆସେ, କିଛି ଲୋକ ଖୁସୀ ହୁଅନ୍ତି । ଏଭଳି ଲୋକ ଦେଶକୁ ଅସୁବିଧାରେ ଦେଖିବାକୁ ଚାହୁଁଛନ୍ତି । ଇରାନ ଓ ପଶ୍ଚିମ ଏସିଆରେ ଯୁଦ୍ଧ ସମୟରେ ଯେତେବେଳେ ସାରା ଦେଶ ଏକଜୁଟ ହୋଇ ସଙ୍କଟର ସାମ୍ନା କରୁଥିଲା, ସେତେବେଳେ କିଛି ଲୋକ ଗୁଜବ ସୃଷ୍ଟି କରିବାରେ ଲାଗିଥିଲେ । ଚାଷୀଙ୍କୁ ଖତ ମିଳିବ ନାହିଁ ଏବଂ ମହିଳାଙ୍କୁ ଗ୍ୟାସ ମିଳିବ ନାହିଁ କହି ଡରାଉଥିଲେ । ତାଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ, ଦେଶରେ ଅରାଜକତା ସୃଷ୍ଟି କରିବା, କାରଣ ମୋଦୀକୁ ବଦନାମ କରିପାରିବେ ।
ମୋଦୀ ବିରୋଧୀଙ୍କ ନାଁ ନେଇ କହିଛନ୍ତି ଯେ ଯୁଦ୍ଧ ଏବେବି ଜାରି ରହିଛି, କିନ୍ତୁ ଭାରତ ଏବେବି ଏକଜୁଟ ହୋଇ ଏହାର ସାମ୍ନା କରୁଛି । ସରକାର ଚାଷୀଙ୍କୁ କୌଣସି ଅସୁବିଧାରେ ସମ୍ମୁଖୀନ ହେବାକୁ ଦେଇ ନାହାଁନ୍ତି । ଚାଷୀଙ୍କୁ ଆଜି ବି ୩୦୦ ଟଙ୍କାରେ ଖତ ଦିଆଯାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶର ଯୁବବର୍ଗ ଏକ ବିକଶିତ ଭାରତ ଗଠନ କରିବାକୁ ଆଶା ରଖିଛନ୍ତି, କିନ୍ତୁ ଦୁର୍ଭାଗ୍ୟବଶତଃ କିଛି ଲୋକଙ୍କୁ ଏହା ପସନ୍ଦ ନୁହେଁ। ବିକାଶ ଦିଗରେ କରାଯାଉଥିବା ପ୍ରତ୍ୟେକ ପ୍ରୟାସର ଲକ୍ଷ୍ୟ ହେଉଛି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନିଶ୍ଚିତତାରେ ଭରପୂର ଏହି ବିଶ୍ୱ ପରିସ୍ଥିତି ମଧ୍ୟରେ ସମଗ୍ର ବିଶ୍ୱ ଭାରତର ଦ୍ରୁତ ଅଗ୍ରଗତିକୁ ଦେଖୁଛି।
ବନାସକାଣ୍ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ୧୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ 'ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି'ର ୨୪ତମ କିସ୍ତି ମଧ୍ୟ କୃଷକମାନଙ୍କ ଖାତାକୁ ପ୍ରଦାନ କରିଛନ୍ତି । ପ୍ରାୟ ୪.୫ ଲକ୍ଷ କୋଟି ଟଙ୍କା କ୍ଷୁଦ୍ର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ହସ୍ତାନ୍ତର କରାଯାଇଛି।