ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମୈଦାନରେ ନଭେମ୍ବର ୧ ରେ ହେବାକୁ ଥିବା ରାହୁଲ ଗାନ୍ଧୀଙ୍କ ଶୋଭାଯାତ୍ରାକୁ ନେଇ ବ୍ୟବସାୟୀ ସଂଘର ଚିନ୍ତା ବଢ଼ିଛି । ଆଗକୁ ଦୀପାବଳି ଆସୁଥିବାରୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ବାଣିଜ୍ୟିକ କ୍ଷତି ହେବା ଆଶଙ୍କାରେ ଚ୍ୟାମ୍ବର୍ ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ) କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଛି । ନଭେମ୍ବର ୧ ବଦଳରେ ଦୀପାବଳି ପରେ ରାଲି କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ।
ଫେଡେରେସନ୍ ଅଫ୍ ସଦର ବଜାର ଟ୍ରେଡର୍ସ ଆସୋସିଏସନ୍ (ଖାରି ବାଓଲି, ଦିଲ୍ଲୀ)ର ଗ୍ରୋସରୀ କମିଟି, 'ଇଣ୍ଡି' ମେଣ୍ଟର ବରିଷ୍ଠ ନେତା ଅଖିଳେଶ ଯାଦବ ଏବଂ ମମତା ବାନାର୍ଜୀଙ୍କୁ ଏକ ଚିଠି ଲେଖି ରାମଲୀଳା ମୈଦାନରେ ପ୍ରସ୍ତାବିତ ରାଲିକୁ ଦୀପାବଳି ପରେ ଆୟୋଜନ କରିବାକୁ ଅନୁରୋଧ କରିଛି।
ସିଟିଆଇ କହିଛି ଯେ ନଭେମ୍ବର ୬ ତାରିଖରେ ଧନତେରସ୍ ଏବଂ ୮ ତାରିଖରେ ଦୀପାବଳି ରହିଛି । ଦୀପାବଳି ପାଇଁ ଭଲ ବ୍ୟବସାୟ ଆଶାରେ ବ୍ୟବସାୟୀମାନେ ରହିଛନ୍ତି । କିନ୍ତୁ ରାହୁଲଙ୍କ ଶୋଭାଯାତ୍ରାରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବାର ଆଶଙ୍କା ରହିଛି । ଫଳରେ କେନ୍ଦ୍ରୀୟ ଦିଲ୍ଲୀ ଏବଂ ପୁରୁଣା ଦିଲ୍ଲୀରେ ଟ୍ରାଫିକ୍ ସମସ୍ୟା ବଢ଼ିଯିବ । ଯାହାର ସିଧାସଳଖ ପ୍ରଭାବ ସାଧାରଣ ବ୍ୟବସାୟୀଙ୍କ ଉପରେ ପଡ଼ିବାର ସମ୍ଭାବନା ରହିଛି ।
ରାମଲୀଳା ମୈଦାନକୁ ଲାଗି କରି ପ୍ରାୟ ଛୋଟ ବଡ଼ ୨୦ଟି ବଜାର ରହିଛି । ଚାନ୍ଦନୀ ଚୌକ, ସଦର ବଜାର, କନ୍ନାଟ୍ ପ୍ଲେସ୍, ପାଲିକା ବଜାର, ଜନପଥ, ଭାଗୀରଥ ପ୍ରାସାଦ, ଖରି ବାଓଲି, କାଶ୍ମୀରୀ ଫାଟକ, ନୟା ବଜାର, ଲଜପତ ରାୟ ବଜାର, ଚାୱରୀ ବଜାର, କିନାରୀ ବଜାର, ଦାରିବା କାଲାନ, ବାଲିମରନ୍ ଓ ଫତେହପୁରୀ ଭଳି ବଜାର ରହିଛି । ଯେଉଁଠାରେ ପ୍ରତ୍ୟେକ ଦିନ ୧୦ରୁ ୧୨ ହଜାର କୋଟିର କାରବାର ହୋଇଥାଏ ।
ବ୍ୟବସାୟୀ ସଂଘ ଆଶଙ୍କା ଜତାଇଛି ଯେ ଶୋଭା ଯାତ୍ରା ଯୋଗୁଁ ବସ୍, କାର, ବାଇକ୍ ଭଳି ଯାନ ଗୁଡ଼ିକ ବଡ଼ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ କରିବେ । ପ୍ରାୟ ୧୫ରୁ ୨୦ ହଜାର ଯାନବାହାନର ଆବଶ୍ୟକତା ରହିଛି । ଫଳରେ ବ୍ୟବସାୟୀଙ୍କ ସାମଗ୍ରୀ ଦୋକାନ ପାଖରେ ପହଁଚିବାରେ ସମସ୍ୟା ସୃଷ୍ଟି ହେବ । ପର୍ବପର୍ବାଣୀ ଥିବାରୁ ବ୍ୟବସାୟରେ ବଡ଼ ଘାଟା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
ସିଟିଆଇ ସୋନିଆଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛି । ସଂଘ ଦୁଇଟି ବିକଳ୍ପ ମଧ୍ୟ ଦେଇଛି । ୧ ନଭେମ୍ବର ବଦଳରେ ଦୀପାବଳି ପରେ ରାଲି କରିବାକୁ ପରାମର୍ଶ ଦେଇଥିବାବେଳେ ସ୍ଥାନ ବଦଳାଇବାକୁ ମଧ୍ୟ ବିକଳ୍ପ ଦେଇଛି । ରାମଲୀଳା ମଇଦାନ ବଦଳରେ ବୁରାଡ଼ୀ ମୈଦାନରେ କରିବାକୁ ସଂଘ ଅନୁରୋଧ କରିଛି ।