ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଚାଲିଥିବା SIR (ସ୍ପେସାଲ୍ ଇନ୍ସପେକ୍ସନ୍ ଆଣ୍ଡ୍ ରିଭିଜନ୍) ବିବାଦ ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ (EC) ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦେଶର ୬ଟି ରାଜ୍ୟରେ ଏସଆଇଆର୍ କାର୍ଯ୍ୟସୂଚୀ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ତାରିଖକୁ ଆଗକୁ ବୃଦ୍ଧି କରାଯାଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ହରିୟାଣା, ତେଲେଙ୍ଗାନା, ନାଗାଲାଣ୍ଡ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଆସନ୍ତା ନଭେମ୍ବର ୩୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଅନ୍ୟପଟେ ଦିଲ୍ଲୀ ପାଇଁ ଏହି ଫାଇନାଲ୍ ଡ୍ରାଫ୍ଟ ଡିସେମ୍ବର ୨୨ ତାରିଖରେ ଜାରି କରାଯିବ। ସୂଚନାଯୋଗ୍ୟ ଯେ, ଫର୍ମ-୬କୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣି ସମୟରେ ଦିଲ୍ଲୀ SIR ପ୍ରକ୍ରିୟା ଉପରେ ଆଦାଲତ ପ୍ରଶ୍ନ ଉଠାଇଥିଲେ। ଏହାପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦାବି ଓ ଆପତ୍ତି ଦାଖଲ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନର ସମୟସୀମା ବୃଦ୍ଧି କରାଯାଇଛି।
ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ନାଗରିକଙ୍କ ଦାବି ଏବଂ ଆପତ୍ତିଗୁଡ଼ିକର ସମାଧାନ ପାଇଁ ଭିନ୍ନ ଭିନ୍ନ ରାଜ୍ୟ ପାଇଁ ନୂଆ ତାରିଖ ଧାର୍ଯ୍ୟ କରାଯାଇଛି। ହରିୟାଣା ଓ ଆନ୍ଧ୍ରପ୍ରଦେଶରେ ଦାବି ଓ ଆପତ୍ତି ସମାଧାନର ଶେଷ ତାରିଖ ନଭେମ୍ବର ୨୦ ହୋଇଥିବା ବେଳେ ଚୂଡ଼ାନ୍ତ ଭୋଟର ତାଲିକା ନଭେମ୍ବର ୩୦ରେ ପ୍ରକାଶ ପାଇବ। ହରିୟାଣାରେ ଦାବି ଓ ଆପତ୍ତି ଦାଖଲ ପ୍ରକ୍ରିୟା ୩୧ ଜୁଲାଇ ୨୦୨୬ରୁ ଆରମ୍ଭ ହୋଇ ୨୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ।
ସେହିପରି ମହାରାଷ୍ଟ୍ରରେ ଆପତ୍ତି ଦାଖଲର ଶେଷ ତାରିଖ ନଭେମ୍ବର ୧୩ ଏବଂ ସମାଧାନର ଶେଷ ତାରିଖ ନଭେମ୍ବର ୨୫ ରଖାଯାଇଥିବା ବେଳେ ଫାଇନାଲ୍ ଲିଷ୍ଟ ନଭେମ୍ବର ୩୦ରେ ଆସିବ। ନାଗାଲାଣ୍ଡରେ ଦାବି ଓ ଆପତ୍ତି ସମାଧାନର ଶେଷ ତାରିଖ ନଭେମ୍ବର ୨୫ ଏବଂ ତେଲେଙ୍ଗାନାରେ ଆପତ୍ତି ଦାଖଲର ସମୟସୀମା ନଭେମ୍ବର ୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯେଉଁଠାରେ ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ଜାରି ହେବ।
ଅନ୍ୟପଟେ ଦିଲ୍ଲୀରେ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ ଡିସେମ୍ବର ୧୫ ସୁଦ୍ଧା ଶେଷ ହେବ ଏବଂ ଡିସେମ୍ବର ୨୨ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ସମ୍ପୃକ୍ତ ନିର୍ବାଚନ ଅଧିକାରୀଙ୍କୁ ଏହି ନୂତନ କାର୍ଯ୍ୟସୂଚୀ ବାବଦରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ଓ ପ୍ରଚାର ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।