ନୂଆଦିଲ୍ଲୀ: ଦିଲ୍ଲୀସ୍ଥିତ ପ୍ରସିଦ୍ଧ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଦୀର୍ଘ ଦିନ ଧରି ଭୁଖ ହଡ଼ତାଳ ଓ ଆନ୍ଦୋଳନରେ ବସିଥିବା ଛାତ୍ରଛାତ୍ରୀଙ୍କ ଦାବିକୁ ବିଚାରକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ଗଠନ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି।
ବିଶ୍ୱବିଦ୍ୟାଳୟ ପ୍ରଶାସନ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୨୭ ମସିହା ମେ’ ୧୫ ତାରିଖ ସୁଦ୍ଧା ଜାମିଆ ମିଲିଆ ଇସଲାମିଆ ଛାତ୍ର ସଂସଦର ସମ୍ବିଧାନକୁ ମଞ୍ଜୁରୀ ଦିଆଯିବା ସହ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟା ଶେଷ କରାଯିବ। ସମ୍ବିଧାନ ଅନୁମୋଦିତ ହେବା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିର୍ବାଚନ ପାଇଁ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି ହେବ। ଏହି ସମଗ୍ର ନିର୍ବାଚନ ପ୍ରକ୍ରିୟା ଲିଙ୍ଗଦୋ କମିଟିର ସୁପାରିଶ ଏବଂ ସ୍ୱତନ୍ତ୍ର ନିୟମାବଳୀ ଅନୁସାରେ ପରିଚାଳିତ ହେବ। ଆଦେଶ ଅନୁସାରେ, ୧୬ ଜୁଲାଇ ୨୦୨୭ରୁ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷାବର୍ଷର ପ୍ରଥମ ୬ ସପ୍ତାହ ମଧ୍ୟରେ ନିର୍ବାଚନ ଶେଷ କରାଯିବ।
ଅନ୍ୟପଟେ, ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ବିରୋଧରେ ନିଆଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ପ୍ରଶାସନ ପ୍ରତ୍ୟାହାର କରିନେବାକୁ ଘୋଷଣା କରିଛି। ଆନ୍ଦୋଳନକାରୀ ଛାତ୍ରମାନଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ନିଲମ୍ବନ, ବହିଷ୍କାର ଏବଂ କ୍ୟାମ୍ପସ ପ୍ରବେଶ ଉପରେ ଲଗାଯାଇଥିବା କଟକଣା ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ରୂପେ ରଦ୍ଦ କରାଯିବ। ବିଶ୍ୱବିଦ୍ୟାଳୟ ପ୍ରଶାସନର ଏହି ଆଶ୍ୱାସନା ଏବଂ ଲିଖିତ ଆଦେଶ ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସେମାନଙ୍କର ପ୍ରଦର୍ଶନ ଓ ଭୁଖ ହଡ଼ତାଳ ପ୍ରତ୍ୟାହାର କରିବାକୁ ଆହ୍ୱାନ ଦିଆଯାଇଛି।
Also Read: ସଂସଦ ନୁହେଁ ଜ୍ଞାନେଶ କୁମାରଙ୍କ ବିରୋଧରେ ‘ସାର୍ବଜନୀନ ମହାଭିଯୋଗ’ ଆଣିବ କଂଗ୍ରେସ,ଖଡ୍ଗେଙ୍କ ଘରେ ଲାଗିବ ଦରବାର