ଭୋପାଲ: ମାନସିକ ଅବସାଦ ଗୋଟିଏ ପରିବାର ଛଅଟି ଜୀବନ ନେଇଯାଇଛି । ମଧ୍ୟ ପ୍ରଦେଶରେ ଭଉଣୀର ଆତ୍ମହତ୍ୟାକୁ ସହି ନ ପାରି ଆଉ ଜଣେ ଭଉଣୀ ନିଜ ପିଲାଙ୍କ ସହିତ କୂଅକୁ ଡେଇଁ ଆତ୍ମହତ୍ୟା କରିଛି । ଦୁଇଟି ଘଟଣାରେ ମୋଟ ୬ ଜଣଙ୍କର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରୁ ଏଭଳି ଦୁଃଖଦ ଖବର ସାମ୍ନାକୁ ଆସିଛି। ମୃତକମାନେ ହେଲେ ଅଞ୍ଜଳି ରାୱତ (୩୫) ଓ ପୁଅ ପ୍ରଶାନ୍ତ (୬), ଅଞ୍ଜଳିଙ୍କ ଭଉଣୀ ସୀତା ରାୱତ (୪୦), ସୀତାଙ୍କର ତିନି ସନ୍ତାନ ଯଥା ରାଖୀ (୧୪), ପ୍ରିୟଙ୍କା (୧୧) ଏବଂ ଶ୍ଲୋକ (୬) । ଆଉ ଦୁଃଖର ବିଷୟ ହେଉଛି ସୀତା ଆଠ ମାସର ଗର୍ଭବତୀ ମଧ୍ୟ ଥିଲେ । ଘଟଣାରେ ତାଙ୍କ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ହୋଇଛି । ଦୁଇଟି ଆତ୍ମହତ୍ୟା ଘଟଣା ପରସ୍ପର ସହିତ ଜଡ଼ିତ ବୋଲି ଅନୁମାନ କରାଯାଉଛି ।
ବଞ୍ଚିଗଲେ ତିନି ଝିଅ
ପ୍ରଥମ ଘଟଣାଟି ବୁଧବାର ଦିନ ଶିବପୁରୀର ବୈରାଡ଼ ଥାନା ଅନ୍ତର୍ଗତ ଗୁଙ୍ଗରଗାଁରେ ଘଟିଛି। ପରିବାର ସଦସ୍ୟଙ୍କ କହିବା ଅନୁସାରେ ଅଞ୍ଜଳି ରାୱତଙ୍କ ସ୍ୱାମୀ ଧର୍ମବୀର ସିଂ ରାୱତଙ୍କର ପ୍ରାୟ ଦେଢ଼ ମାସ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଅଞ୍ଜଳି ଗଭୀର ମାନସିକ ଅବସାଦରେ ରହୁଥିଲେ। ଗତକାଲି ଅଞ୍ଜଳି ନିଜର ୩ ଏବଂ ଗୋଟିଏ ପୁଅକୁ ଧରି କୂଅକୁ ଡେଇଁ ପଡ଼ିଥିଲେ । କିନ୍ତୁ ବଡ଼ ଝିଅର ଉପସ୍ଥିତି ବୁଦ୍ଧି ଯୋଗୁଁ ତିନି ଝିଅ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଭାଗ୍ୟବଶତଃ, ଅଞ୍ଜଳିଙ୍କ ବଡ଼ ଝିଅ ମୋନିକା ନିଜକୁ ଏବଂ ନିଜର ଦୁଇ ସାନ ଭଉଣୀଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲା । ସେ ତୁରନ୍ତ ଘରକୁ ଦୌଡ଼ି ଯାଇ ପରିବାର ଲୋକଙ୍କୁ ଡାକିକି ଆଣିଥିଲା ।
ପରିବାର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଞ୍ଜଳି ଓ ପ୍ରଶାନ୍ତଙ୍କୁ କୂଅରୁ ବାହାର କରିଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା । ଉଭୟଙ୍କର ମୃତ୍ୟୁ ହୋଇସାରିଥିଲା।
ସେପଟେ ଅଞ୍ଜଳିଙ୍କ ଭଉଣୀ ସୀତା ମଧ୍ୟ ଚରମ ନିଷ୍ପତି ନେଇଥିଲେ । ସେସାଇ ଗାଁରେ ଥିବା ଭଉଣୀ ସୀତା, ଗତକାଲି ନିଜର ତିନି ପିଲା ରାଖ, ପ୍ରିୟଙ୍କା ଏବଂ ଶ୍ଲୋକଙ୍କ ସହ ଖୋଙ୍କାର ଗାଁର ଏକ କ୍ଷେତକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସୁଦ୍ଧା ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ।
ଖୋଜାଖୋଜି ସମୟରେ, ପରିବାର ସଦସ୍ୟମାନେ ଏକ କୂଅ ନିକଟରେ ଜୋତା ପଡ଼ିଥିବାର ଦେଖିଲେ ଏବଂ ପାଣି ଭିତରେ ଏକ ଶିଶୁର ମୃତଦେହ ଦେଖିବାକୁ ପାଇଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ଏବଂ ରାତି ପ୍ରାୟ ୧୧ଟା ସମୟରେ କୂଅରୁ ସୀତା ଓ ତାଙ୍କର ତିନି ସନ୍ତାନଙ୍କ ମୃତଦେହ ଉଦ୍ଧାର କଲା। ପୋଲିସ ଜଣାଇଛି ଯେ ସୀତା ଆଠ ମାସର ଗର୍ଭବତୀ ଥିଲେ । ଏହି ଦୁଃଖଦ ଘଟଣାରେ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ଘଟିଛି।
ଦୁଇ ଭଉଣୀଙ୍କ ମଧ୍ୟରେ ଥିଲା ଘନିଷ୍ଠ ସମ୍ପର୍କ
ସୀତାଙ୍କ ସ୍ୱାମୀ ହକମ୍ ସିଂହ କହିଛନ୍ତି ଯେ ଦୁଇ ଭଉଣୀଙ୍କ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ସମ୍ପର୍କ ଥିଲା । ସେମାନେ ପ୍ରାୟତଃ ଫୋନ୍ରେ ପରସ୍ପର ସହ କଥା ହେଉଥିଲେ। ସମ୍ପର୍କୀୟମାନଙ୍କ ମତରେ, ନିଜ ଭଉଣୀ ଅଞ୍ଜଳିଙ୍କ ଆତ୍ମହତ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ଗଭୀର ଦୁଃଖ ଓ ଆଘାତ କାରଣରୁ ସୀତା ଏଭଳି ଚରମ ପଦକ୍ଷେପ ନେଇଛନ୍ତି।
ପୋଲିସ ଉଭୟ ମୃତ୍ୟୁ ଘଟଣାକୁ ନେଇ ମାମଲା ରୁଜୁ କରିଛି ଏବଂ ମୃତଦେହଗୁଡ଼ିକର ଶବ ବ୍ୟବଚ୍ଛେଦ ସମେତ ଅନ୍ୟାନ୍ୟ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଏହି କ୍ରମାଗତ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।