ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆସନ୍ତା ସପ୍ତାହରେ ମଧ୍ୟପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ଉପ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଭାରତୀୟ ଜନତା ପାର୍ଟୀ ।
ଦଳ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ମଧ୍ୟ ପ୍ରଦେଶ ରାଜ୍ୟସଭା ଉପନିର୍ବାଚନ ପାଇଁ ପୁରୀଙ୍କ ନାମକୁ ଅନୁମୋଦନ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏଲ୍. ମୁରୁଗାନଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶରୁ ରାଜ୍ୟସଭାର ଗୋଟିଏ ଆସନ ଖାଲି ପଡ଼ିଥିଲା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ଏକମାତ୍ର ଶିଖ୍ ମନ୍ତ୍ରୀ ହୋଇଥିବା ହରଦୀପ ପୁରୀ ପୂର୍ବରୁ ଉତ୍ତରପ୍ରଦେଶରୁ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ନଭେମ୍ବର ମାସରେ ଶେଷ ହେବ। ଏହା ପୂର୍ବରୁ, ଯେତେବେଳେ ବିଜେପି ଉତ୍ତରପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଆଠ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା, ସେତେବେଳେ ସେଥିରେ ପୁରୀଙ୍କ ନାମ ନଥିଲା। ଯାହା ପରେ ପୁରୀଙ୍କ ଭବିଷ୍ୟତ ଅନିଶ୍ଚିତତାକୁ ଠେଲି ହୋଇଯାଇଥିଲା ।