କୋଲକାତା: ପଶ୍ଚିମବଙ୍ଗରେ ଉତ୍ତର ପ୍ରଦେଶ ଫର୍ମୁଲା । ରାଜ୍ୟର ଉତ୍ତର ୨୪ ପରଗନା ଜିଲ୍ଲାର ଗାଇଘାଟା ଅଞ୍ଚଳରେ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ପୋଲିସ ଏନକାଉଣ୍ଟର କରିଛି । ଫଳରେ ଅଭିଯୁକ୍ତର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମଙ୍ଗଳବାର ଭୋର ସମୟରେ ମୁଖ୍ୟ ଅଭିଯୁକ୍ତ ପ୍ରହ୍ଲାଦ ଦାସ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ଏହା ପଶ୍ଚିମବଙ୍ଗର ଦ୍ୱିତୀୟ ଏନକାଉଣ୍ଟର ଘଟଣା ଅଟେ ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋରୁ ପୋଲିସ ଏକ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା କରିବା ମାମଲାରେ ମୁଖ୍ୟ ଅଭିଯୁକ୍ତ ପ୍ରହ୍ଲାଦ ଦାସ କ୍ରାଇମ୍ ସିନ୍ ରିଏକ୍ରିଏନ୍ କରିବାକୁ ଘଟଣାସ୍ଥଳକୁ ନେଇଥିଲା । ଯାହା ବାଂଲାଦେଶ ସୀମାଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଅବସ୍ଥିତ। ଏହି ସମୟରେ, ଅଭିଯୁକ୍ତ ଜଣକ ହଠାତ ପୋଲିସ ଅଧିକାରୀଙ୍କଠାରୁ ସର୍ଭିସ୍ ପିସ୍ତଲ ଛଡ଼ାଇ ନେଇ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ପାଲଟା ଗୁଳିଚାଳନା କରାଯିବା ବେଳେ ଅଭିଯୁକ୍ତ ଦେହରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ଚାନ୍ଦପଡ଼ା ଗ୍ରାମୀଣ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଆହତ ହୋଇଥିଲା। ଏହି ଗୁଳି କାଣ୍ଡରେ ଜଣେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ।
ପୂରା ଘଟଣାଟି କ’ଣ?
ଗତ ଶନିବାର ରାତିରେ, ଜଣେ ୧୭ ବର୍ଷୀୟା ଯୁବତୀ ନିଜ ଗାଁରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତି ୧୧:୩୦ ସମୟରେ ଏକ ସନ୍ଦେହଜନକ ଫୋନ୍ କଲ୍ ପାଇବା ପରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରଦିନ ସକାଳେ, ଜଣେ ପଡ଼ୋଶୀଙ୍କ ଘର ପଛପଟୁ ତାଙ୍କର ଉଲଗ୍ନ ଏବଂ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ, ପୋଲିସ ରବିବାର ଦିନ ପ୍ରହ୍ଲାଦକୁ ଗିରଫ କରିଥିଲା ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଜୁଲାଇ ମାସରେ ମଧ୍ୟ ସମାନ ଘଟଣା ଘଟିଥିଲା । ବରୁଇପୁର ଠାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କୁ ରାତିରେ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ୍ କରିବାକୁ ନିଆଯାଇଥିବାବେଳେ ଖସି ପଳାଇ ଯିବାକୁ ଉଦ୍ୟମ କରିଥିଲା । ପୋଲିସ ଏନକାଉଣ୍ଟରେ ସେ ପ୍ରାଣ ହରାଇଥିଲା । ବରୁଇପୁର ଏନକାଉଣ୍ଟର ସହ ଜଡ଼ିତ ମାମଲା କଲିକତା ହାଇକୋର୍ଟରେ ବିଚାରଧୀନ ରହିଛି ।