ଗୋହ୍ୱାଟୀ: ଆସାମର ରାଜଧାନୀ ଗୋହ୍ୱାଟୀରେ ଏକ ହୋଟେଲ ରାତି ଅଧରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଏଥିରେ ଗୋଟିଏ ପରିବାର ୪ ଜଣଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିରେ ୬ ଜଣ ଲୋକ ଆହତ ହୋଇଥିବା କୁହାଯାଉଛି । ଯେଉଁଥିରେ ହୋଟେଲ୍ କର୍ମଚାରୀ ରହିଛନ୍ତି । ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୋହ୍ୱାଟୀ ପୋଲିସ କମିଶନର ପାର୍ଥ ସାରଥୀ ମହାନ୍ତଙ୍କ ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୯ଟାରୁ ୧୦ଟା ସମୟରେ, ଜିଏସ୍ ରୋଡର ବୋରା ସର୍ଭସ୍ ନିକଟରେ ଥିବା “ହୋଟେଲ ବିଲାସ”ର ମାଲିକ ଏବଂ ଲିଜଧାରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଏହି ସମୟରେ ଲିଜଧାରୀ ହୋଟେଲ୍ ମାଲିକ ଏବଂ ତାଙ୍କ ପରିବାର ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଜଣକ ପରେ ଜଣକ ଉପରେ ଗୁଳି ବାଜି ଥିଲା । ଫଳରେ ୪ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଆଉ ଜଣେ ପ୍ରାଣ ହରାଇଥିଲେ । ଅନ୍ୟ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ଏହି ଘଟଣା ପୋଲିସ ରାଜ୍ୟ ମୁଖ୍ୟାଳୟରୁ ମାତ୍ର ୨ କିଲୋମିଟର୍ ଦୂରରେ ଘଟିଛି । ଖବର ତୁରନ୍ତ ପୋଲିସ ପହଁଚି ୪ ଜଣଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି । ଏହା ସହିତ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ତା ନିକଟରୁ .୩୨ ବୋର୍ ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି । ସମସ୍ତ ମୃତକ ହୋଟେଲ୍ ମାଲିକଙ୍କ ପରିବାର ସଦସ୍ୟ ବୋଲି ଜଣାପଡ଼ିଛି । ତେବେ ଏଭଳି ଗୁଳିକାଣ୍ଡର କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।