ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା କମିବାର ନାଁ ନେଉନାହିଁ। କ୍ୟାମ୍ପସ୍ରେ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ଅନ୍ତିମ ନୋଟିସ୍ ଜାରି କରାଯାଇଛି। ଛାତ୍ରଛାତ୍ରୀମାନେ ତୁରନ୍ତ କ୍ୟାମ୍ପସ୍ ଏବଂ ଧାରଣାସ୍ଥଳ ଖାଲି କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଯଦି ନିର୍ଦ୍ଦେଶକୁ ଅମାନ୍ୟ କରାଯାଏ, ତେବେ କଠୋର ଆଇନଗତ ତଥା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଭୁଲି ନାହାନ୍ତି ଛାତ୍ର, କ୍ୟାମ୍ପସ୍ରେ ଜାରି ରହିଛି ଧାରଣା
ବିଶ୍ୱବିଦ୍ୟାଳୟ ପ୍ରଶାସନର ଦାବି ଅନୁଯାୟୀ, ଛାତ୍ରମାନଙ୍କ ଦାବିପତ୍ରକୁ ସୈଦ୍ଧାନ୍ତ୍ରିକ ଭାବେ ଗ୍ରହଣ କରାଯାଇଥିଲା ଏବଂ ବିଶ୍ୱବିଦ୍ୟାଳୟର ଅନୁରୋଧ ପରେ ଅଧିକାଂଶ ଛାତ୍ର ଆମରଣ ଅନଶନ ପ୍ରତ୍ୟାହାର କରି ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ମାତ୍ର ବର୍ତ୍ତମାନ ମଧ୍ୟ କିଛି ଛାତ୍ର ନର୍ଥ କ୍ୟାମ୍ପସ୍ର 'ଗୁଲିସ୍ତାନ-ଏ-ଗାଲିବ ଭବନ' ଏବଂ 'ଗାଲିବ ଲନ୍'ରେ ଧାରଣାରେ ବସି ରହିଛନ୍ତି।
ଛାତ୍ରମାନଙ୍କୁ ବୁଝାଇବା ପାଇଁ ବରିଷ୍ଠ ଅଧିକାରୀ ଏବଂ ଫ୍ୟାକଲ୍ଟି ମାନେ ପ୍ରାୟ ୩ ଘଣ୍ଟାରୁ ଅଧିତ ସମୟ ଧରି ଆଲୋଚନା କରିଥିଲେ ମଧ୍ୟ ସେମାନେ ଜିଦ୍ରେ ଅଟଳ ରହିଛନ୍ତି। ଏପରିକି ବିଭିନ୍ନ ବିଭାଗର ତାଲା ଭଙ୍ଗାଯିବା ସହ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ନଷ୍ଟ ହୋଇଥିବା ପ୍ରଶାସନ ଅଭିଯୋଗ କରିଛି।
ଦିଲ୍ଲୀ ପୁଲିସର ରାଡାରରେ ସନ୍ଦିଗ୍ଧ
ଅନ୍ୟପକ୍ଷରେ, ଏହି ସମଗ୍ର ଘଟଣାକୁ ନେଇ ଦିଲ୍ଲୀ ପୁଲିସ ଅତି କଡ଼ା ନଜର ରଖିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁଁତାବକ, ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଜାମିଆ ରେଜିଷ୍ଟ୍ରାର୍ଙ୍କ ପକ୍ଷରୁ ଦିଲ୍ଲୀ ପୁଲିସକୁ ଏଯାବତ୍ ୪ଟି ଅଭିଯୋଗ ମିଳିସାରିଛି। ଏହି ସମସ୍ତ ଅଭିଯୋଗର ଯାଞ୍ଚ ପରେ ପୁଲିସ ଶୀଘ୍ର ଆଉ ଏକ ନୂତନ ଏଫ୍ଆଇଆର୍ (FIR) ଦାଖଲ କରିପାରେ।
ସାଂସଦଙ୍କ ନାଁରେ ପୂର୍ବରୁ ରହିଛି ମାମଲା
କ୍ୟାମ୍ପସ୍ ଭିତରେ ବଳପୂର୍ବକ ପ୍ରବେଶ ଅଭିଯୋଗରେ ପୂର୍ବରୁ ହିଁ ଏକ ମାମଲା ରୁଜୁ ହୋଇସାରିଛି। ଏହି ମାମଲାରେ କଂଗ୍ରେସ ସାଂସଦ ଇମ୍ରାନ ମସୁଦ, ଇମ୍ରାନ ପ୍ରତାପଗଡ଼ି, ସମାଜବାଦୀ ପାର୍ଟିର ସାଂସଦ ମୋହିବୁଲ୍ଲା ନଦୱୀ, ୟୁପି ବିଧାନ ପରିଷଦ ସଦସ୍ୟ ଶାନୱାଜ ଖାନ ଏବଂ ଏଆଇଏମଆଇଏମର ଦିଲ୍ଲୀ ସଭାପତି ଶୋଏବ ଜମାଇଙ୍କ ସମେତ ଅନେକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସାଂସଦମାନଙ୍କ ବିରୋଧରେ ହୋଇଥିବା ଏହି ଏଫ୍ଆଇଆର୍ ରିପୋର୍ଟ ଦିଲ୍ଲୀ ପୁଲିସ ଲୋକସଭା ବାଚସ୍ପତିଙ୍କ ନିକଟକୁ ମଧ୍ୟ ପଠାଇ ସାରିଛି।
ଡ୍ରୋନ୍ କ୍ୟାମେରାରୁ ହେଉଛି ଅନୁସନ୍ଧାନ
ପୁଲିସ ଏବେ ମୋବାଇଲ୍ ଭିଡିଓ, ସିସିଟିଭି ଏବଂ ଡ୍ରୋନ୍ କ୍ୟାମେରା ଫୁଟେଜ୍ ଜରିଆରେ ପ୍ରତ୍ୟେକଟି ଗତିବିଧିର ଯାଞ୍ଚ କରୁଛି। ଯଦି ବର୍ତ୍ତମାନ କେହି ବି ବ୍ୟକ୍ତି ଜାମିଆ କ୍ୟାମ୍ପସ୍ ବାହାରେ କିମ୍ବା ଭିତରେ ହଙ୍ଗାମା ସୃଷ୍ଟି କରନ୍ତି, ତେବେ ପୁଲିସ ସେମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସ୍ପଷ୍ଟ ଜଣାପଡ଼ିଛି।