ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (SIR) ଏବଂ 'ଭୋଟ୍ ଚୋରି' ଅଭିଯୋଗକୁ ନେଇ ବିରୋଧୀ 'ଇଣ୍ଡିଆ' ମେଣ୍ଟ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ, ଏହାକୁ ମୁକାବିଲା କରିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଏକ ବଡ଼ ଏବଂ ରଣନୈତିକ ଯୋଜନା ପ୍ରସ୍ତୁତ କରିଛି। ବିରୋଧୀଙ୍କ ଦ୍ୱାରା ପ୍ରସାରିତ ହେଉଥିବା ନାଟକୀୟ ବୟାନବାଜି ଏବଂ ଭ୍ରାନ୍ତ ଧାରଣାକୁ ସିଧାସଳଖ ଜନସାଧାରଣଙ୍କ ପାଖରେ ଖଣ୍ଡନ କରିବା ପାଇଁ ବିଜେପି ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ଯାଉଛି।
ଆସନ୍ତା ନଭେମ୍ବର ୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ବିରୋଧୀଙ୍କ ପକ୍ଷରୁ କରାଯାଉଥିବା ମହାବିରୋଧ ପ୍ରଦର୍ଶନକୁ ପ୍ରତିହତ କରିବା ଏବଂ ଏହାର କାଉଣ୍ଟର କରିବା ପାଇଁ ବିଜେପିର ବଡ଼ଧରଣର ପଦଯାତ୍ରା ଓ ଜନସଚେତନତା କାର୍ଯ୍ୟକ୍ରମ ରହିଛି।
"ଲୋକତନ୍ତ୍ର ବାଚାଓ, ଅରାଜକତା ହଟାଓ" ଥିମ୍ରେ ଅଭିଯାନ
ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଏହି ମେଗା ଅଭିଯାନ "ଲୋକତନ୍ତ୍ର ବାଚାଓ, ଅରାଜକତା ହଟାଓ" ଥିମ୍ ଆଧାରରେ ପରିଚାଳିତ ହେବ। ଏଥିରେ ଦଳର ଶୀର୍ଷ କେନ୍ଦ୍ରୀୟ ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦକ୍ଷ ଦଳୀୟ ନେତାମାନେ ସିଧାସଳଖ ରାସ୍ତାକୁ ଓହ୍ଲାଇ ପଦଯାତ୍ରା କରିବେ। ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟରେ ଏହି ପଦଯାତ୍ରା ଅନୁଷ୍ଠିତ ହେବ, ଯେଉଁଥିରେ ସର୍ବନିମ୍ନ ୧୦,୦୦୦ ଲୋକଙ୍କୁ ସାମିଲ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
କେଉଁ ଦିନ କେଉଁ ଦିଗ୍ଗଜ ନେତା ରହିବେ?
ବିଜେପି ପକ୍ଷରୁ ଏହି ଜାତୀୟ ଅଭିଯାନ ପାଇଁ ନେତାମାନଙ୍କର କାର୍ଯ୍ୟସୂଚୀ ଏବଂ ସ୍ଥାନ ଚୂଡ଼ାନ୍ତ କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌରେ ଏକ ବିଶାଳ ପଦଯାତ୍ରାର ନେତୃତ୍ୱ ନେବେ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହিমନ୍ତ ବିଶ୍ୱ ଶର୍ମା ସିମଳାଠାରେ ପଦଯାତ୍ରା ପରିଚାଳନା କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ହେମନ୍ତ ବିଶ୍ୱ ଶର୍ମା ତେଲେଙ୍ଗାନାର ହାଇଦ୍ରାବାଦରେ ମିଳିତ ଭାବେ ପଦଯାତ୍ରାର ନେତୃତ୍ୱ ନେବେ। ଗୃହମନ୍ତ୍ରୀ ଅମିତ ଶାହା ଏବଂ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ କର୍ଣ୍ଣାଲରେ ପଦଯାତ୍ରାରେ ଯୋଗଦେବେ।
ଏହାବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନବୀସ ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସମେତ ଅନେକ ବରିଷ୍ଠ କେନ୍ଦ୍ରୀୟ ମନ୍ତ୍ରୀ ଦେଶର ବିଭିନ୍ନ ପ୍ରାନ୍ତରେ ହେବାକୁଥିବା ରାଲି ଓ ପଦଯାତ୍ରାର ମଙ୍ଗ ଧରିବେ।
କୋର ଟିମ୍ ଦ୍ୱାରା ପରିଚାଳନା
ଏହି ସମଗ୍ର ଅଭିଯାନର ସମନ୍ୱୟ ଏବଂ ପରିଚାଳନା ଦାୟିତ୍ୱ ବିଜେପି ନେତା ନିତିନ ନବୀନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ୪-ସଦସ୍ୟୀୟ କୋର ଟିମ୍ (ତରୁଣ ଚୁଘ, ଭୂପେନ୍ଦ୍ର ଯାଦବ, ହରୀଶ ଦ୍ୱିବେଦୀ ଏବଂ ଶିବରାଜ ସିଂହ ଚୌହାନ)କୁ ପ୍ରଦାନ କରାଯାଇଛି।
ବିରୋଧୀଙ୍କ ଅଭିଯୋଗକୁ ବିଜେପିର କଡ଼ା ଜବାବ
ବିରୋଧୀ ଦଳଗୁଡ଼ିକ SIR ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗ ଏବଂ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ କ୍ରମାଗତ ଭାବେ ଅଭିଯୋଗ ଆଣୁଛନ୍ତି। ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖର୍ଗେଙ୍କ ନେତୃତ୍ୱରେ 'ଇଣ୍ଡିଆ' ମେଣ୍ଟ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଇସ୍ତଫା ଦାବି କରି ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରୁଛି।
ଅନ୍ୟପକ୍ଷରେ, ବିଜେପି ପକ୍ଷରୁ କୁହାଯାଇଛି ଯେ କ୍ରମଗତ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେଉଥିବା ବିରୋଧୀ ଦଳଗୁଡ଼ିକ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଉପରେ ଅନାସ୍ଥା ପ୍ରକଟ କରି ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ପଦଯାତ୍ରା ମାଧ୍ୟମରେ ଦଳ ଭୋଟର ତାଲିକା ସଂଶୋଧନର ସ୍ୱଚ୍ଛତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବ।