ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାପାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ଦେଶବ୍ୟାପୀ ଆନ୍ଦୋଳନ କରିଛି । ଦିଲ୍ଲୀ, ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ ଆଦି ରାଜ୍ୟରେ ମଲ୍ଲିକାର୍ଜୁନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି ।
ବିଜେପିର ତୁଙ୍ଗ ନେତୃବୃନ୍ଦ ଖଡ଼ଗେ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି । କର୍ମୀମାନେ ଦେଶର ବିଭିନ୍ନ ରାଜ୍ୟ ଓ ପ୍ରମୁଖ ସହରଗୁଡ଼ିକରେ ରାସ୍ତାକୁ ଓହ୍ଲାଇ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଖଡ଼ଗେଙ୍କ କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଛି । ଖଡ଼ଗେ ନିଜର ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବିଜେପି ଦାବି କରିଛି । ବିହାରର ରାଜଧାନୀ ପାଟନାରେ ବିଜେପି ନେତା ଓ କର୍ମୀମାନେ ଜୋରଦାର ନାରାବାଜି କରିବା ସହିତ କଂଗ୍ରେସ ସଭାପତିଙ୍କ ଏକ କୁଶପୁତ୍ତଳିକା ଦାହ କରିଛନ୍ତି । ସେହିପରି ଜମ୍ମୁରେ ଦଳୀୟ କର୍ମୀମାନେ ଖଡ଼ଗେଙ୍କ ପୋଷ୍ଟରରେ ନିଆଁ ଲଗାଇ ଦେଇଛନ୍ତି ।
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ମଧ୍ୟ ବିଜେପି ପକ୍ଷରୁ 'ଫ୍ରିଡମ୍ ପାର୍କ' ଠାରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ଏବଂ ଖାର୍ଗେଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ଦାବି କରାଯାଇଛି। ଏହା ବ୍ୟତୀତ, ଦେଶର ଅନ୍ୟାନ୍ୟ ପ୍ରମୁଖ ସହର ଯଥା—ଦିଲ୍ଲୀ, ମୁମ୍ବାଇ, ରାଞ୍ଚି, କୋଲକାତା ଏବଂ ଲକ୍ଷ୍ନୌରେ ମଧ୍ୟ ବିଜେପି କର୍ମୀମାନେ କଂଗ୍ରେସ ଦଳ ଓ ଏହାର ସଭାପତିଙ୍କ ବିରୋଧରେ ଦୃଢ଼ ବିରୋଧ ପ୍ରଦର୍ଶନ କରିଛନ୍ତି।
“ମୋଦୀ କା ବାପ୍ ଭି ଯାୟେଗା”
ଗତକାଲି ବିହାରର ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ । ସଭାରେ ଉପସ୍ଥିତ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଥିଲେ ଯେ ମୋଦୀ କୁଆଡ଼େ ଯିବେ ନାହିଁ। ଏହାର ଜବାବରେ ମଞ୍ଚ ଉପରୁ ଖଡ଼ଗେ କହିଥିଲେ ଯେ, “ମୋଦୀ କା ବାପ୍ ଭି ଯାୟେଗା” ଅର୍ଥାତ "ମୋଦୀଙ୍କ ବାପାଙ୍କୁ ମଧ୍ୟ ଯିବାକୁ ପଡ଼ିବ।" ଏହି ମନ୍ତବ୍ୟର ଏକ ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଉଭୟ ଦଳ ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହୋଇଉଠିଲା।