ବେଙ୍ଗାଲୁରୁ: ବେଙ୍ଗାଲୁରୁର ପ୍ରମୁଖ ଆଇଟି କମ୍ପାନିଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି କୌଣସି ବେସରକାରୀ ସଂସ୍ଥା ବା କମ୍ପାନି ଜାଣିଶୁଣି କନ୍ଡ଼ (ସ୍ଥାନୀୟ) ଲୋକଙ୍କୁ ଚାକିରିରୁ ବଞ୍ଚିତ କରେ କିମ୍ବା ପକ୍ଷପାତ କରେ, ତେବେ ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବା ପରେ ଏହି ବିବାଦ ସାମ୍ନାକୁ ଆସିଛି, ଯେଉଁଥିରେ ବେଙ୍ଗାଲୁରୁର କମ୍ପାନିଗୁଡ଼ିକରେ ଭାଷାକୁ ନେଇ ଭେଦଭାବ କରାଯାଉଥିବା ଅଭିଯୋଗ ହୋଇଥିଲା।
ଭାଇରାଲ୍ ଭିଡିଓ ଏବଂ ଭେଦଭାବ ଅଭିଯୋଗ
ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଜଣେ ଯୁବତୀ ଅଭିଯୋଗ କରିଥିଲେ ଯେ, ଯେଉଁ ପ୍ରାର୍ଥୀମାନେ ନିଜର ମାତୃଭାଷା କନ୍ଡ଼ ବୋଲି ଦର୍ଶାଉଛନ୍ତି, ସେମାନଙ୍କୁ ସାକ୍ଷାତକାର ବେଳେ ବାଦ୍ ଦିଆଯାଉଛି। କମ୍ପାନିଗୁଡ଼ିକ କନ୍ଡ଼ ପରିବର୍ତ୍ତେ ତାମିଲ୍ କିମ୍ବା ତେଲୁଗୁ ଭାଷାଭାଷୀ ଯୁବକମାନଙ୍କୁ ଅଧିକ ପ୍ରାଥମିକତା ଦେଉଥିବା ସେ ଦାବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ କନ୍ଡ଼ କର୍ମକର୍ତ୍ତା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିଲା।
"ସ୍ଥାନୀୟ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ"
ଏହି ପ୍ରସଙ୍ଗରେ କଡ଼ା ପ୍ରତିକ୍ରିୟା ରଖି ଡି.କେ. ଶିବକୁମାର ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, କର୍ଣ୍ଣାଟକରେ କନ୍ଡ଼ ଲୋକମାନେ ସର୍ବୋପରି। ସ୍ଥାନୀୟ ଯୁବକମାନଙ୍କ ଦକ୍ଷତା ଏବଂ ପ୍ରତିଭା ଉପରେ ସରକାରଙ୍କୁ ପୂର୍ଣ୍ଣ ଗର୍ବ ଅଛି। କୌଣସି ମତେ କନ୍ଡ଼ ଲୋକଙ୍କ ଅଧିକାର, ସମ୍ମାନ ଏବଂ ସୁଯୋଗକୁ ଅବମାନନା କରାଯିବାକୁ ଦିଆଯିବ ନାହିଁ। ଯଦି କୌଣସି କମ୍ପାନି ସ୍ଥାନୀୟ ପ୍ରାର୍ଥୀଙ୍କୁ ଜାଣିଶୁଣି ଅଣଦେଖା କରୁଥିବାର ପ୍ରମାଣ ମିଳେ, ତେବେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।