ନୂଆଦିଲ୍ଲୀ: ବିହାରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଦେଇଥିବା ଏକ ବିବାଦୀୟ ବୟାନ୍କୁ ନେଇ ଦେଶବ୍ୟାପୀ ରାଜନୈତିକ ତର୍କ ତେଜିଛି। କଂଗ୍ରେସ ଅଧ୍ୟକ୍ଷଙ୍କ ଏପରି ଅମର୍ଯ୍ୟାଦକର ଟିପ୍ପଣୀକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦିନକୁ ଦିନ ଭାଷା ଓ ଶିଷ୍ଟାଚାରର ସମସ୍ତ ସୀମା ପାର୍ କରିବାରେ ଲାଗିଛି।
ସୋସିଆଲ୍ ମିଡିଆରେ ନିଜର ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ପାଟନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପିତାଙ୍କୁ ନେଇ ଅତ୍ୟନ୍ତ ଅଭଦ୍ର ଓ ଆପତ୍ତିଜନକ ମନ୍ତବ୍ୟ ଦେଇ ସମସ୍ତ ମର୍ଯ୍ୟାଦା ଲଙ୍ଘନ କରିଛନ୍ତି। କଂଗ୍ରେସ ଦଳ ପାଇଁ ଏହା ନୂଆ କଥା ନୁହେଁ; ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମାତା, ତାଙ୍କ ଗରିବ ପୃଷ୍ଠଭୂମି ('ଚାଏବାଲା') ଏବଂ ତାଙ୍କୁ 'ମୌତ କା ସୌଦାଗର' ଭଳି ଶବ୍ଦ ବ୍ୟବହାର କରି ଅପମାନିତ କରାଯାଇଛି।
ଗତ ୧୨ ବର୍ଷ ଧରି କ୍ରମାଗତ ଭାବେ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେଉଥିବାରୁ କଂଗ୍ରେସ ନେତାମାନେ ଏବେ ସମ୍ପୂର୍ଣ୍ଣ ହତାଶ ହୋଇପଡ଼ିଛନ୍ତି। ଦଳ ପାଖରେ ଏବେ କୌଣସି ପ୍ରକାରର ବିକାଶମୂଳକ ନୀତି କିମ୍ବା ପ୍ରସଙ୍ଗ ନାହିଁ, ବରଂ କେବଳ ବ୍ୟକ୍ତିଗତ ଆକ୍ଷେପ ଓ ଗାଳିଗୁଲ୍ଜର ରାଜନୀତି ହିଁ ବାକି ରହିଛି ବୋଲି ଶାହ କହିଛନ୍ତି।
ବିଜେପିର ଅନ୍ୟ ଶୀର୍ଷ ନେତାଙ୍କ ମଧ୍ୟ ତୀବ୍ର ପ୍ରତିବାଦ
କଂଗ୍ରେସ ଅଧ୍ୟକ୍ଷଙ୍କ ଏହି ମନ୍ତବ୍ୟକୁ କେବଳ ଅମିତ ଶାହ ନୁହେଁ, ବରଂ ଅନ୍ୟାନ୍ୟ ବରିଷ୍ଠ ବିଜେପି ନେତାମାନେ ମଧ୍ୟ ତୀବ୍ର ବିରୋଧ କରିଛନ୍ତି। ବିଜେପି ଅଧ୍ୟକ୍ଷ ନିତିନ ନବୀନ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କହିଛନ୍ତି ଯେ ରାଜନୈତିକ ମତଭେଦ ଯେତେ ଥାଉନା କାହିଁକି, ସାବ୍ଜାନିକ ମଞ୍ଚରେ ସ୍ୱର୍ଗତଃ ପରିଜନମାନଙ୍କ ବିରୁଦ୍ଧରେ ଅଶାଳୀନ ଭାଷା ପ୍ରୟୋଗ କରିବା କଂଗ୍ରେସର ଦିବାଲିଆପଣକୁ ପ୍ରମାଣିତ କରୁଛି। ଜନସାଧାରଣ ନିର୍ବାଚନ ମାଧ୍ୟମରେ ଏଭଳି ଅହଂକାରୀ ଓ ଅମର୍ଯ୍ୟାଦକର ରାଜନୀତିର ଉଚିତ୍ ଜବାବ ଦେବେ ବୋଲି ସେମାନେ ମତ ଦେଇଛନ୍ତି।