ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ସୋସିଆଲ୍ ମିଡିଆରେ ନିଜର ବ୍ୟକ୍ତବ୍ୟକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। କକରୋଚ୍ ଜନତା ପାର୍ଟି (CJP)ର ଅଭିଜିତ୍ ଦୀପକେଙ୍କ ସମେତ ୪ ଜଣ ନେତା ପୋଲିସ ନିକଟରେ 'ପିସ୍ ବଣ୍ଡ' ବା ଶାନ୍ତି ପ୍ରତିଶ୍ରୁତି ସ୍ୱାକ୍ଷର କରିବାକୁ ନେଇ କାଟଜୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଦାବି କରିଛନ୍ତି ଯେ ଏହି ବଣ୍ଡ୍ ସାକ୍ଷର କରିବା ଦ୍ୱାରା ଜନସାଧାରଣଙ୍କ ଆଗରେ ସେମାନଙ୍କ ଗ୍ରହଣୀୟତା ଶେଷ ହୋଇଯାଇଛି ଏବଂ ସେମାନଙ୍କ ରାଜନୈତିକ କ୍ୟାରିୟର ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି।
ମାର୍କଣ୍ଡେୟ କାଟଜୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ 'X'ରେ ଲେଖିଛନ୍ତି ଯେ, CJPର ପ୍ରମୁଖ ନେତା ଅଭିଜିତ୍ ଦୀପକେ, ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅଜିଙ୍କ୍ୟ ଶିନ୍ଦେ ପୋଲିସ ସାମ୍ନାରେ ଶାନ୍ତି ବଣ୍ଡ ସ୍ୱାକ୍ଷର କରିଛନ୍ତି। ଏହାର ଅର୍ଥ ହେଉଛି ସେମାନେ ଆଉ କୌଣସି ଜନସାଧାରଣ ବିକ୍ଷୋଭ କିମ୍ବା ଆନ୍ଦୋଳନରେ ଭାଗ ନେଇପାରିବେ ନାହିଁ। ଯଦି ସେମାନେ ଏହା କରନ୍ତି, ତେବେ ଶାନ୍ତି ଭଙ୍ଗ ଅଭିଯୋଗରେ ପୋଲିସ ସେମାନଙ୍କୁ ସିଧାସଳଖ ଦୀର୍ଘ ସମୟ ପାଇଁ ଜେଲ୍କୁ ପଠାଇଦେବ।
ସେ ଆହୁରି କହିଛନ୍ତି, "ଏହି ବଣ୍ଡ ସ୍ୱାକ୍ଷର କରିବା ଦ୍ୱାରା ଜନସାଧାରଣ ସେମାନଙ୍କୁ ଜେଲ୍ ଯିବାକୁ ଭୟ କରୁଥିବା କାପୁରୁଷ ବୋଲି ଭାବିବେ। ବ୍ରିଟିଶ ଅମଳରେ ଯେଉଁମାନେ କ୍ଷମାପ୍ରାର୍ଥନା କରି ଜେଲରୁ ମୁକୁଳୁଥିଲେ, ଏମାନଙ୍କ ଅବସ୍ଥା ସେହିପରି ହୋଇଛି।"
ନେହା ବୋରାଙ୍କୁ କାଟଜୁଙ୍କ ଉଚ୍ଚ ପ୍ରଶଂସା
ଅନ୍ୟପଟେ, ଆଇସାର ଛାତ୍ରନେତ୍ରୀ ନେହା ବୋରାଙ୍କ ଆଭିମୁଖ୍ୟକୁ କାଟଜୁ ଭୂୟସୀ ପ୍ରଶଂସା କରିଛନ୍ତି। ନେହା ପିସ୍ ବଣ୍ଡ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ ଶାନ୍ତିପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ପ୍ରତିବାଦ କରିବା ହେଉଛି ତାଙ୍କର ସାମ୍ବିଧାନିକ ଅଧିକାର। କାଟଜୁ କହିଛନ୍ତି, "ମୁଁ କେବଳ ନେହା ବୋରାଙ୍କୁ ସମ୍ମାନ କରେ, ଯିଏ ନିଜର ନୀତି ଓ ଅଧିକାର ପାଇଁ ନିଜ ଜିଦରେ ଅଟଳ ରହିଲେ । କିନ୍ତୁ ଅଭିଜିତ୍ ଦୀପକେ ଓ ଅନ୍ୟ ତିନି ନେତା ଆନ୍ଦୋଳନ ପାଇଁ ଅଯୋଗ୍ୟ ପ୍ରମାଣିତ ହୋଇଛନ୍ତି।"