ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଧି ପରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱବିଦ୍ୟାଳୟ ପ୍ରଶାସନ ୨୦ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଘୋଷଣା କରିଛି। ଏ ନେଇ ସୋମବାର ଦିନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଅନୁମୋଦନ ତାରିଖରୁ ୧୫ ଦିନ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ।
୨୦୦୬ ମସିହାରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦକୁ ଭାଙ୍ଗି ଦିଆଯାଇଥିଲା । ଏହାର ବିଲୟ ହେବା ପରଠାରୁ, ଏହାକୁ ପୁନଃସ୍ଥାପନ କରିବା ପାଇଁ ଅନେକ ପ୍ରତିବାଦ ହୋଇଆସୁଥିଲା । ଜାମିୟା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଦୀର୍ଘ ବର୍ଷ ହେବ ଛାତ୍ରମାନେ ଦାବି କରିଆସୁଥିଲେ । ଗତ କିଛି ମାସ ହେବ ଛାତ୍ରମାନେ ଲଗାତର ଆନ୍ଦୋଳନ ଏବଂ ବିରୋଧ ପ୍ରଦର୍ଶନ କରିଆସୁଥିଲେ । ଶେଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ନିଷ୍ପତି ନେଇଛନ୍ତି ।
ଏହା ସହିତ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆହୁରି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତିବାଦ ସମୟରେ ଛାତ୍ରମାନଙ୍କୁ ଜାରି କରାଯାଇଥିବା ନିଲମ୍ବନ ଆଦେଶ ମଧ୍ୟ ପ୍ରତ୍ୟାହାର କରାଯିବ। ପ୍ରତିବାଦ ସମୟରେ ସୁରକ୍ଷା କର୍ମଚାରୀଙ୍କ ଦ୍ୱାରା ଛାତ୍ରଙ୍କ ଉପରେ ହୋଇଥିବା ନିର୍ମମତାର ତଦନ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରାଯିବ ।
ସାର୍ବଜନୀନ କ୍ଷମା ମାଗିବେ ଛାତ୍ର
ତତସହିତ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କ ନିକଟରେ ମଧ୍ୟ କିଛିଟା ସର୍ତ୍ତ ରଖିଛନ୍ତି । ଛାତ୍ରମାନଙ୍କ ଦାବି ପୂରଣ ହୋଇଛି ଏବଂ ପ୍ରତିବାଦ ସମୟରେ ବିଶ୍ୱବିଦ୍ୟାଳୟ ବିଷୟରେ ଦିଆଯାଇଥିବା ଯେକୌଣସି ଅପମାନଜନକ ବକ୍ତବ୍ୟ ପାଇଁ ସେମାନେ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବେ । ବିଶ୍ୱବିଦ୍ୟାଳୟ ବିରୁଦ୍ଧରେ ଛାତ୍ର ପୂର୍ବରୁ ପୋଷ୍ଟ କରିଥିବା ଆପତ୍ତିଜନକ ପୋଷ୍ଟକୁ ମଧ୍ୟ ହଟାଇବେ । ଏହା ସହିତ ଛାତ୍ରମାନେ ପ୍ରତିବାଦରୁ ଓହରିବେ ।