ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ଭବନ ନିକଟରେ ଥିବା ନର୍ଥ ବ୍ଲକ୍ରେ ସୋମବାର ଅଗ୍ନିକାଣ୍ଡ ଘଟିଛି। କୋଠାର ଛାତ ଉପରେ ଥିବା ଏକ ଏସି ବଏଲର୍ରେ ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗର ୬ଟି ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ତେବେ ଅଗ୍ନିଶମ କର୍ମଚାରୀମାନେ ଶୀଘ୍ର ନିଆଁକୁ ଆୟତ୍ତ କରିଥିବାରୁ ବଡ଼ ଅଘଟଣ ଟଳିଯାଇଛି।
ସୂଚନା ଅନୁସାରେ, କୋଠାର ଛାତ ଉପରେ ନିର୍ମାଣ କାର୍ଯ୍ୟ ସହ ୱେଲ୍ଡିଂ କାମ ଚାଲିଥିଲା। ଏହି ସମୟରେ ସର୍ଟ ସର୍କିଟ୍ ଯୋଗୁଁ ଏସି ବଏଲର୍ରେ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ଖବର ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗ ୬ଟି ଦମକଳ ଗାଡ଼ି ପଠାଇଥିଲା। ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରାଯିବା ସହ କୌଣସି ଜୀବନହାନି ହୋଇନଥିବା ଅଧିକାରୀମାନେ କହିଛନ୍ତି।
ଏହି ଘଟଣା ସମୟରେ ଶିବସେନାର ରାଜ୍ୟସଭା ସାଂସଦ ମିଲିନ୍ଦ ଦେଓରା ସଂସଦକୁ ଯାଉଥିଲେ। ନର୍ଥ ବ୍ଲକ୍ ପଛପଟୁ ଘନ ଧୂଆଁ ଉଠୁଥିବା ଦେଖି ସେ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକ ଫଟୋ ସେୟାର କରିଥିଲେ। ଏହା ସହ ଘଟଣାସ୍ଥଳରେ ସମସ୍ତେ ସୁରକ୍ଷିତ ଥିବେ ଏବଂ ଜରୁରୀକାଳୀନ ସେବା ଶୀଘ୍ର ପହଞ୍ଚିଥିବ ବୋଲି ଆଶା ପ୍ରକାଶ କରିଥିଲେ।
ଉଲ୍ଲେଖଯୋଗ୍ୟ, ସଂସଦ ଓ ଏହାର ଆଖପାଖ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣା ବିରଳ। ଏହା ପୂର୍ବରୁ ନୂଆ ସଂସଦ ଭବନରେ ନିର୍ମାଣ ସମୟରେ ଏକ ସୁରକ୍ଷା ଜାଲରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଥିଲା। ତେବେ ସୋମବାରର ଘଟଣାରେ ନିଆଁ ଶୀଘ୍ର ଲିଭାଯାଇଥିବାରୁ କୌଣସି ମୃତାହତ ହୋଇନାହାନ୍ତି।