ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡରେ । ସୋମବାର ସକାଳେ ଏକ ପିଣ୍ଡି ବନାଇବାକୁ କେନ୍ଦ୍ର କରି ଗୋଟିଏ ପରିବାର ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ଏବଂ ପୁଅ ରହିଛନ୍ତି । ମୃତକ ହେଲେ ଶିବା ତିୱାରୀ, ଶମ୍ଭୁ ତିୱାରୀ ଏବଂ ଶିବାଙ୍କ ପୁଅ ସୁୟଶ ତିୱାରୀ ।
ଲକ୍ଷ୍ନୌ ସଆଦତଗଞ୍ଜ ଥାନା ଅନ୍ତର୍ଗତ ନୌବସ୍ଥାରେ ବର ଗଛ ମୂଳରେ ପିଣ୍ଡି ବନାଇବାକୁ ନେଇ ଶିବାଙ୍କ ପରିବାର ସହିତ ଅଭିଯୁକ୍ତଙ୍କର ବିବାଦ ହୋଇଥିଲା । ଏହି ସମୟରେ ଅଭିଯୁକ୍ତ ଜଣକ ଶିବା ତିୱାରୀ, ତାଙ୍କ ଭାଇ ଶମ୍ଭୁ ତିୱାରୀ ଏବଂ ପୁଅ ଉପରେ ଗୁଳି ଚଳାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ନିକଟସ୍ଥ ସିଏମ୍ଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ସମସ୍ତ ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସିଏମ୍ଏମ୍ ଟ୍ରମା ସେଣ୍ଟର୍ ଡାକ୍ତର ପ୍ରେମରାଜ ସିଂହ କହିଛନ୍ତି ଯେ ଶମ୍ଭୁଙ୍କ ଛାତିରେ ଗୁଳି ଲାଗିଥିବାବେଳେ ଶିବା ଏବଂ ସୁୟଶଙ୍କ ମୁଣ୍ଡରେ ଗୁଳି ବାଜିଛି ।
ଶିବାଜୀଙ୍କ ପୁଅ ସୁୟଶଙ୍କର ଆସନ୍ତା ମାସରେ ବିବାହ ହେବାର ଥିଲା। ଘରେ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିଲା। କିନ୍ତୁ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କ ହତ୍ୟା ଘଟଣା, ବିବାହ ପ୍ରସ୍ତୁତିରେ ଲାଗିଥିବା ସେହି ପରିବାର ଉପରେ ଶୋକର ଛାୟା ଖେଳାଇ ଦେଇଛି ।
ଏହି ଗୁଳି କାଣ୍ଡ ପରେ ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଖବର ପାଇ ସଆଦତଗଞ୍ଜ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହା ସହିତ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଋଷଭ ଶୁକ୍ଳା । ସେ ଭାରତୀୟ ନୌସେନାରେ ପୂର୍ବତନ କର୍ମଚାରୀ ବୋଲି ଜଣାପଡ଼ିଛି ।
ପୋଲିସର ସୂଚନା ଅନୁସାରେ, ଦୁଇ ପକ୍ଷଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା । ଯାହା ଆଜି ସଂଘର୍ଷର ରୂପ ନେଇଥିଲା । ଗୋଟିଏ ପକ୍ଷରୁ ଗୁଳି ଚାଳନା ହୋଇଥିଲା । ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ଫେରାର ହୋଇଯାଇଥିବାବେଳେ ପୋଲିସ ତାକୁ କାବୁ କରି ନେଇଛି ।