ଅନଲାଇନ୍ରେ ଜୀବନସାଥୀ ଖୋଜୁଥିବା ମହିଳାଙ୍କୁ ଟାର୍ଗେଟ୍ କରି ଠକେଇ ଅଭିଯୋଗ। ନିଜକୁ ଡାକ୍ତର କହି ଏକାଧିକ ମହିଳାଙ୍କଠାରୁ ୧ କୋଟି ୧୯ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଗୋଆରୁ ଗିରଫ ହୋଇଛନ୍ତି ୩୯ ବର୍ଷୀୟ ଜିନୁ ସାହାଣୀ ଓରଫ ରାକେଶ ରାଜପୁତ।
ପୋଲିସର କହିବା ଅନୁଯାୟୀ, ଅଭିଯୁକ୍ତ ମାଟ୍ରିମୋନିଆଲ୍ ୱେବସାଇଟ୍ରେ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ। ପରେ ନକଲି ମେଡିକାଲ୍ ରିପୋର୍ଟ ଓ ହ୍ୱାଟ୍ସଆପ୍ ଭିଡିଓ କଲ୍ ଜରିଆରେ ବିଶ୍ୱାସ ଜିତି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି।
ଏହି ଘଟଣାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଜଣେ ବିଧବା ମହିଳା ମଧ୍ୟ ଠକେଇର ଶିକାର ହୋଇଛନ୍ତି। ଅଭିଯୁକ୍ତ ତାଙ୍କୁ ନିଜ ନାମ ସାଇ କୃପା ଦାସ ଏବଂ ଘର ଭୁବନେଶ୍ୱର ବୋଲି କହିଥିଲେ।
ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
ଅଭିଯୁକ୍ତଙ୍କଠାରୁ ୭ଟି ମୋବାଇଲ୍ ଫୋନ୍, ଏକାଧିକ ସିମ୍ କାର୍ଡ ଓ ରବର ଷ୍ଟାମ୍ପ ଜବତ ହୋଇଛି। ତାଙ୍କ ସହ ସମ୍ପୃକ୍ତ ୧୨.୩୧ ଲକ୍ଷ ଟଙ୍କା ମଧ୍ୟ ଫ୍ରିଜ୍ କରାଯାଇଛି। ଅନ୍ୟ ଅଭିଯୁକ୍ତ ଉତ୍ତମ କୁମାର ସାହୁ ଓରଫ ମିକିଙ୍କୁ ଅଗଷ୍ଟ ୨ରେ ଗିରଫ କରାଯାଇଥିଲା।ପୋଲିସ ଏବେ ଏହି ଠକେଇ ଘଟଣାର ଅଧିକ ଖୋଳତାଡ଼ କରୁଛି।