କଟକ: କଟକ କାଠଯୋଡ଼ି ନଦୀପଠାରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ହେଁ ପୋଲିସ୍ ହାତ ଏବେ ବି ଖାଲି ପଡ଼ିଛି। ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ନାକେଦମ୍ ହୋଇପଡ଼ିଛି। ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଏବେ ସାରା ସହରରେ ଗଭୀର ଚାଞ୍ଚଲ୍ୟ ଓ ଆଲୋଡ଼ନ ସୃଷ୍ଟି କରିଛି।
ଘଟଣାସୂଚନାନୁସାରେ, ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଖାନନଗର-ପୁରୀଘାଟ କାଠଯୋଡ଼ି ରିଂ ବନ୍ଧ ରାସ୍ତାର ରାଜାବଗିଚା ନିକଟସ୍ଥ ନଦୀପଠାରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ନେଇ ପୋଲିସ ଖବର ପାଇଥିଲା। ହତ୍ୟାକାରୀମାନେ ଅତି ନିଷ୍ଠୁର ଭାବେ ମହିଳାଙ୍କ ମୁହଁ ଓ ମୁଣ୍ଡକୁ ପଥରରେ ଛେଚି ଖିନ୍ଭିନ୍ କରିଦେଇଥିଲେ। ପରିଚୟ ନଷ୍ଟ କରିବା ଉଦ୍ଦେଶ୍ୟରେ ମହିଳାଙ୍କୁ ନଦୀବନ୍ଧରୁ ଘୋଷାରି ନେଇ ଚୁଟି କାଟି ଲଣ୍ଡା କରିଦିଆଯାଇଥିଲା।
୪୮ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମହିଳାଙ୍କ ଚିହ୍ନଟ ହୋଇପାରି ନାହିଁ। କଟକ ଡିସିପି ନିଜେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତର ତଦାରଖ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଜବତ କରାଯିବା ସହ ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚରା ଚଳାଇଛି। ଏହି ବୀଭତ୍ସ ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି।
ଡିସିପିଙ୍କ ସୂଚନାନୁସାରେ, ମୃତକ ଜଣେ ବିବାହିତ ମହିଳା ବୋଲି ଅନୁମାନ କରାଯାଉଛି। ତାଙ୍କ ଗୋଟିଏ ହାତରେ ଇଂରାଜୀରେ "Abinash Gauri" (ଅବିନାଶ ଗୌରୀ) ଲେଖାଯିବା ସହ ଦୁଇଟି ଶବ୍ଦ ମଝିରେ ଏକ ପ୍ରଜାପତିର ଟାଟୁ ରହିଛି। ଅନ୍ୟ ହାତରେ "AG" ଲେଖାଯାଇଛି। ମହିଳାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିଲେ ୱାଟସଆପ୍ ନମ୍ବର 8280338300 ରେ ଯୋଗାଯୋଗ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି। ସେପଟେ ବ୍ୟସ୍ତବହୁଳ ରିଂ ବନ୍ଧ ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ସହ ପେଟ୍ରୋଲିଙ୍ଗ ବୃଦ୍ଧି କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।