ନୂଆଦିଲ୍ଲୀ: ଅକ୍ଟୋବର ୧୦ ତାରିଖରେ ନୂଆଦିଲ୍ଲୀର ଜନ୍ତର ମନ୍ତରଠାରେ କାକରୋଚ ଜନତା ପାର୍ଟି (CJP) ପକ୍ଷରୁ ଆହୂତ ବିଶାଳ ଆନ୍ଦୋଳନରେ ପ୍ରସିଦ୍ଧ ଜଳବାୟୁ କର୍ମୀ ସୋନମ୍ ୱାଙ୍ଗଚୁକ୍ ସାମିଲ ହେବେ ନାହିଁ। ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ନିଜେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଦିଲ୍ଲୀରେ ଚାଲିଥିବା ଏହି ପ୍ରତିବାଦ ସଭାରେ ସେ ଉପସ୍ଥିତ ରହିପାରିବେ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସେମାନଙ୍କ କାର୍ଯ୍ୟରେ ଅନେକ ବାଧାବିଘ୍ନ ସୃଷ୍ଟି କରାଯାଉଥିଲେ ହେଁ, ସେ ଦେଶର ସୁରକ୍ଷା ଓ ପରିବେଶ ପାଇଁ ନିରନ୍ତର କାର୍ଯ୍ୟ କରିଚାଲିବେ। ଲଦାଖରେ ଆଗାମୀ ଶୀତଦିନ ପାଇଁ ଜରୁରୀ ପ୍ରସ୍ତୁତିରେ ସେ ବ୍ୟସ୍ତ ଥିବାରୁ ଏହି ବିକ୍ଷୋଭରେ ଯୋଗ ଦେଇପାରୁନାହାନ୍ତି।
ପ୍ରଖ୍ୟାତ ଶାୟର ଫୈଜ୍ ଅହମ୍ମଦ ଫୈଜ୍ଙ୍କ ଶାୟରୀ ଆବୃତ୍ତି କରି ୱାଙ୍ଗଚୁକ୍ କହିଛନ୍ତି, "ଔର୍ ଭି ଗମ୍ ହୈଁ ଜମାନେ ମେଁ ମୋହବତ୍ କେ ସିୱା, ମୁଁ କହିବି ଔର୍ ଭି ଗମ୍ ହୈଁ ଜମାନେ ମେଁ ସିୟାସତ୍ କେ ସିୱା..."। ସେ ଆହୁରି କହିଛନ୍ତି ଯେ ସମାଜରେ କେବଳ ରାଜନୈତିକ ସମସ୍ୟା ନୁହେଁ, ବରଂ ପ୍ରାକୃତିକ ଓ ପରିବେଶଗତ ସଙ୍କଟ ମଧ୍ୟ ବହୁତ ବଡ଼।
ସୂଚନାଯୋଗ୍ୟ ଯେ, ଗାନ୍ଧୀ ଜୟନ୍ତୀରୁ ସୋନମ୍ ୱାଙ୍ଗଚୁକ୍ ଓ ତାଙ୍କ ସମର୍ଥକମାନେ ଲଦାଖକୁ ଷଷ୍ଠ ଅନୁସୂଚୀ ଓ ରାଜ୍ୟ ପାହ୍ୟା ଦାବିରେ ନୂଆଦିଲ୍ଲୀରେ ଅନଶନ କରିଆସୁଥିଲେ। CJP ର ପ୍ରତିବାଦରେ ସାମିଲ ନହେଲେ ହେଁ, ଦିଲ୍ଲୀରେ ଅନ୍ୟ ଗାନ୍ଧୀବାଦୀ ନେତାମାନେ ଅନଶନ ଓ ସଂଗ୍ରାମ ଜାରି ରଖିଛନ୍ତି ବୋଲି ସେ ଦାବି କରିଛନ୍ତି।