ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଜନ୍ତର ମନ୍ତରଠାରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ କାକରୋଚ ଜନତା ପାର୍ଟି (CJP) ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଘୋଷଣା କରାଯାଇଛି। ତେବେ ଏହି ପ୍ରତିବାଦ ସଭା ପୂର୍ବରୁ ଦିଲ୍ଲୀର ରାଜନୈତିକ ପାରା ବୃଦ୍ଧି ପାଇବାରେ ଲାଗିଛି। CJP ର ଏହି ଆନ୍ଦୋଳନକୁ ବିରୋଧ କରି ହିନ୍ଦୁ ରକ୍ଷା ଦଳ ମଧ୍ୟ ଜନ୍ତର ମନ୍ତରରେ ପହଞ୍ଚିବା ପାଇଁ ଖୋଲାଖୋଲି ଘୋଷଣା କରିଛି।
ହିନ୍ଦୁ ରକ୍ଷା ଦଳର ଜାତୀୟ ଅଧ୍ୟକ୍ଷ ଭୂପେନ୍ଦ୍ର ତୋମାର ଓରଫ୍ ପିଙ୍କି ଚୌଧୁରୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'ରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେଥିରେ ସେ ଅକ୍ଟୋବର ୧୦ ତାରିଖ ସକାଳେ ନିଜ ସମର୍ଥକଙ୍କ ସହ ଲାଠିଧରି ଜନ୍ତର ମନ୍ତରରେ ପହଞ୍ଚିବାକୁ ଚେତାବନୀ ଦେଇଛନ୍ତି। ସନାତନ ବିରୋଧୀଙ୍କୁ ଉଚିତ୍ ଶିକ୍ଷା ସିଖାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି।
ପିଙ୍କି ଚୌଧୁରୀ ନିଜ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି ଯେ, କାକରୋଚ ଜନତା ପାର୍ଟିର ଲୋକମାନେ ପୁଣି ଥରେ ଜନ୍ତର ମନ୍ତରରେ ଏକାଠି ହେଉଛନ୍ତି। ସେମାନଙ୍କୁ ସିଧା କରିବା ପାଇଁ ଲାଠିର ଆବଶ୍ୟକତା ରହିଛି। ଦେଶର ବିଭିନ୍ନ ପ୍ରାନ୍ତରୁ ସମସ୍ତ ହିନ୍ଦୁତ୍ୱବାଦୀ ଓ ଭଗବା ପ୍ରେମୀ ଏକାଠି ହୋଇ ଜନ୍ତର ମନ୍ତର ଆଡ଼କୁ ମୁହାଁଉଛନ୍ତି। ଏହା କୌଣସି ରାଜନୈତିକ ଦଳର ବିଷୟ ନୁହେଁ, ବରଂ ପ୍ରତ୍ୟେକ କଟ୍ଟର ହିନ୍ଦୁ ଏହି ପଦକ୍ଷେପକୁ ସମର୍ଥନ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, CJP ର ନେତା ଆଶୁତୋଷ ରାଙ୍କା ପୂର୍ବରୁ ଏପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ କରିଥିଲେ। ଏହି ବିବାଦୀୟ ବକ୍ତବ୍ୟ ପରେ ଦିଲ୍ଲୀ ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ହୋଇପଡ଼ିଛନ୍ତି, ଯେପରି ଜନ୍ତର ମନ୍ତରରେ କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ।