ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ୧୦ ରାଜ୍ୟସଭା ଆସନରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ପ୍ରାର୍ଥୀ ଚୟନ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ବିଜେପିର ୮ ଜଣ ଏବଂ ସମାଜବାଦୀ ପାର୍ଟିର ଦୁଇ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଦିନ ୨ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି । ରିଟର୍ଣ୍ଣିଂ ଅଫିସର ବିଧିବଦ୍ଧ ଭାବେ ନିର୍ଦ୍ୱନ୍ଦ୍ୱ ନିର୍ବାଚନ ଘୋଷଣା କରିଛନ୍ତି।
ଆଜି ନାମାଙ୍କନ ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା । ଏହି ସମୟରେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଥିଲା । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନ୍ୟ କୌଣସି ପ୍ରାର୍ଥୀ ନିଜ ନାମ ପ୍ରତ୍ୟାହାର ନ କରିବା ଫଳରେ, ଦଶଟି ଆସନ ପାଇଁ ଠିକ୍ ଦଶ ଜଣ ବୈଧ ପ୍ରାର୍ଥୀ ବାକି ରହିଥିଲେ । ଫଳସ୍ୱରୂପ, ଅକ୍ଟୋବର ୧୬ ତାରିଖରେ ହେବାକୁ ଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟାର କୌଣସି ଆବଶ୍ୟକତା ରହିଲା ନ ଥିଲା । ଯାହା ପରେ ନିର୍ବାଚନ ଅଧିକାରୀ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ।
ବିଜେପି ପ୍ରାର୍ଥୀ ଧର୍ମପାଳ ସିଂହ, ଦଳର ଓବିସି ମୋର୍ଚ୍ଚା ମୁଖ୍ୟ ପ୍ରକାଶ ପାଲ, ଶ୍ରୁତି ଗଙ୍ଗୱାର, ବିଦ୍ୟାସାଗର ସୋନକର, ପ୍ରିୟଙ୍କା ସିଂହ ରାୱତ, ରାଧାକାନ୍ତ ଓଝା, ଗୋପୀ କୃଷ୍ଣ ପାଣ୍ଡେ ଏବଂ ରାମ ପ୍ରତାପ ସିଂହ ଚୌହାନ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ସମାଜବାଦୀ ପାର୍ଟିରୁ ବରିଷ୍ଠ ନେତା ତଥା ମୁଖ୍ୟ ଜାତୀୟ ସାଧାରଣ ସମ୍ପାଦକ ରାମ ଗୋପାଳ ଯାଦବ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଧନରାଜ ପରିମଳ ନାଥୱାନି ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି।
୧୦ଟି ଆସନ ପାଇଁ ବର୍ତ୍ତମାନର ସଦସ୍ୟମାନଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ ତାରିଖରେ ଶେଷ ହେଉଛି । ଏହି ୧୦ଟି ଆସନ ମଧ୍ୟରୁ ୮ଟି ବିଜେପି ପାଖରେ ଏବଂ ଗୋଟିଏ ଲେଖାଏଁ ଆସନ ଏସପି ଓ ବିଏସପି ପାଖରେ ରହିଛି । ବିଧାନସଭାରେ ବର୍ତ୍ତମାନର ସଂଖ୍ୟା ଗରିଷ୍ଠତା ଆଧାରରେ, ବିଜେପି ମେଣ୍ଟ ୮ଟି ଆସନ ଏବଂ ଏସପି ୨ଟି ଆସନ ହାସଲ କରିଛି। ଏହା ସହିତ ରାଜ୍ୟସଭାରେ ବିଏସପିର ପ୍ରତିନିଧିତ୍ୱ ଶେଷ ହୋଇଛି।