ନୂଆଦିଲ୍ଲୀ: ଜନ୍ତରମନ୍ତରରେ ସିଜେପିର ବିକ୍ଷୋଭ ପାଇଁ ମେଟ୍ରୋ ଷ୍ଟେସନ ବନ୍ଦ କରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ପଦକ୍ଷେପ ଦ୍ୱାରା ସାଧାରଣ ଜନତା ପ୍ରଭାବିତ ହେଉଛନ୍ତି । ମାଛିକୁ ମାରିବାକୁ ହାତୁଡ଼ିର ବ୍ୟବହାର କରାଯାଏ ନାହିଁ । ପ୍ରଦର୍ଶନ ପାଇଁ ରେଳ ଏବଂ ମେଟ୍ରୋ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ନାହିଁ ବୋଲି ଶୁକ୍ରବାର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ ।
ମେଟ୍ରୋ ଷ୍ଟେସନ ବନ୍ଦ କରିବା ଏବଂ ଟ୍ରେନ ବାତିଲକୁ ବିରୋଧ କରି ସିପିଏମ ମହାସଚିବ ଏମ.ଏ. ବେବିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଶୁଣାଣି କରି କହିଛନ୍ତି ଯେ ଏହା କୌଣସି ପ୍ରଦର୍ଶନକାରୀ କିମ୍ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରସଙ୍ଗ ନୁହେଁ ବରଂ ଏହା ସାଧାରଣ ନାଗରିକ ଜୀବନ ଜୀବିକାର ପ୍ରସଙ୍ଗ । ସାଧାରଣ ଲୋକେ ନିଜ ପେଟ ପାଟଣା ପାଇଁ ମେଟ୍ରୋର ସାହାଯ୍ୟ ନେଉଛନ୍ତି । ଭିଡ଼କୁ ରୋକିବାକୁ ସାଧାରଣ ପରିବହନ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ପାରିବ ନାହିଁ । ଯଦି ମାମଲା ଗମ୍ଭୀର ହୁଏ ତେବେ କଟକଣା ଲଗାଯାଇ ପାରିବ । କିନ୍ତୁ ଏହାର ଅର୍ଥ ନୁହେଁ ସବୁକିଛି ଠପ୍ କରିଦେବା ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।
ତେଣୁ ପ୍ରଶାସନିକ ଅଧିକାରୀମାନେ ଏହା ଉପରେ ପୁନର୍ବିଚାର କରନ୍ତୁ ବୋଲି କୋର୍ଟ ସଲିସିଟର୍ ଜେନେରାଲ ତୁଷାର ମେହେଟ୍ଟାକୁ କହିଛନ୍ତି । ଏହା ସହିତ ଟ୍ରେନ ଏବଂ ମେଟ୍ରୋ ଚଳାଚଳକୁ ଉଚିତ ମାର୍ଗରେ ନିୟନ୍ତ୍ରିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଛୋଟମୋଟ ରାସ୍ତାରେ ଲଗାଯାଇଥିବା ପ୍ରତିବନ୍ଧକ ଉପରେ ମଧ୍ୟ ପୁନର୍ବିଚାର ହେବା ଆବଶ୍ୟକ ।
ଦିଲ୍ଲୀରେ ସିଜେପିର ଆନ୍ଦୋଳନ ପାଇଁ ପ୍ରାୟ ୨୩ ହଜାର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ୫୦ରୁ ଉର୍ଦ୍ଧ୍ୱ ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଥିବାବେଳେ ଏକାଧିକ ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି । ମୋଟ ୨୮ଟି ଏକ୍ସପ୍ରେସ୍ ଟ୍ରେନ୍ ଓ ୨୨ଟି ଲୋକାଲ୍ ଟ୍ରେନ୍ ମଧ୍ୟ ବାତିଲ୍ କରାଯାଇଛି ।