ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଏବଂ ଏସ୍ଆଇଆର୍ ସପକ୍ଷରେ ବାହାରିଛନ୍ତି ପୂର୍ବତନ ବିଚାରପତି । ପ୍ରାୟ ୪୨ ଜଣ ଅବସରପ୍ରାପ୍ତ ବିଚାରପତି ଏସ୍ଆଇଆର୍ ଏବଂ ଜ୍ଞାନେଶ କୁମାରଙ୍କ ଉପରେ ପ୍ରୟୋଗ କରାଯାଉଥିବା ଶବ୍ଦକୁ କଡ଼ା ବିରୋଧ କରିବା ସହିତ ସପକ୍ଷରେ ଗୁରୁବାର ଖୋଲା ଚିଠି ଲେଖିଛନ୍ତି । ପୂର୍ବତନ ବିଚାରପତିମାନେ ଏହାକୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହିତ ପାଇଁ ଏକ ସୁପରିକଳ୍ପିତ ଅଭିଯାନ ପାଇଁ ବୋଲି କହିଛନ୍ତି ।
ବିଶେଷକରି ଜ୍ଞାନେଶ କୁମାରଙ୍କ ପ୍ରତି ପ୍ରୟୋଗ କରାଯାଉଥିବା ଶବ୍ଦ ଗୁଡ଼ିକ ଉପରେ ଅବସରପ୍ରାପ୍ତ ବିଚାରପତିମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ନିର୍ବାଚନ ଆୟୋଗ, ନ୍ୟାୟପାଳିକା ଏବଂ ଅନ୍ୟାନ୍ୟ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବା ପାଇଁ ଚାଲିଥିବା ଅଭିଯାନକୁ ଅବସରପ୍ରାପ୍ତ ବିଚାରପତିମାନେ ଚିନ୍ତା ପ୍ରକଟ କରିଛନ୍ତି । ବିନା ପ୍ରମାଣରେ କରାଯାଉଥିବା 'ଭୋଟ୍ ଚୋରି' ଅଭିଯୋଗ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ ସାମ୍ବିଧାନିକ ପଦବୀରେ ଥିବା ଅଧିକାରୀମାନଙ୍କୁ ବାରମ୍ବାର 'ଚୋର' କିମ୍ବା 'ଷଡ଼ଯନ୍ତ୍ରକାରୀ' ବୋଲି ଆଖ୍ୟା ଦେବା ବିରୁଦ୍ଧରେ ଚେତାବନୀ ଦେଇଛନ୍ତି। ଏଭଳି ଚିଠି ଲେଖିବାର ଉଦ୍ଦେଶ୍ୟ ହେଲା ଏଭଳି ସମୟରେ ନୀରବ ରହିବା ନିରପେକ୍ଷ ରହିବାର କୌଣସି ବିକଳ୍ପ ନୁହେଁ। ଭାରତର ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ କ୍ରମାଗତ ଭାବେ ଆକ୍ରମଣ କରାଯାଉଛି। ଏହି ଆକ୍ରମଣର କେନ୍ଦ୍ରବିନ୍ଦୁରେ ରହିଛି ଭାରତର ନିର୍ବାଚନ ଆୟୋଗ । ଏପରିକି ଉଚ୍ଚତର ନ୍ୟାୟପାଳିକା, ଯାହାକୁ ଆମେ ଅତ୍ୟନ୍ତ ସମ୍ମାନ କରୁ ଏବଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇନାହିଁ।
ସେମାନେ ଅନୁଭବ କରିଛନ୍ତି ଯେ ଏହା ରାଜନୈତିକ ସ୍ୱାର୍ଥ ଦ୍ୱାରା ପରିଚାଳିତ ଏକ ସୁପରିକଳ୍ପିତ ଅଭିଯାନ, ଯେଉଁଥିରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରକୁ ଅସ୍ଥିର କରିବା ଦ୍ୱାରା ସୃଷ୍ଟି ହୋଇପାରୁଥିବା ବିପର୍ଯ୍ୟୟକାରୀ ପରିଣାମ ପ୍ରତି କୌଣସି ଖାତିର ନାହିଁ । ଏପରି ପ୍ରୟାସ ଜନସାଧାରଣଙ୍କ ବିଶ୍ୱାସକୁ ହ୍ରାସ କରିବ ଏବଂ ଯେତେବେଳେ " ସେମାନଙ୍କର ଭୋଟର କୌଣସି ମୂଲ୍ୟ ରହିବ ନାହିଁ ସେମାନେ ରାସ୍ତାରେ ପ୍ରତିବାଦ କରିବେ ।
ଭୋଟର ତାଲିକାର ଏସ୍ଆଇଆର୍ ପ୍ରକ୍ରିୟାକୁ ସମର୍ଥନ ମଧ୍ୟ ସମର୍ଥନ କରି ଲେଖିଛନ୍ତି ଯେ ଏହା ଏକ ଆଇନଗତ ପ୍ରକ୍ରିୟା, ଯାହାର ଲକ୍ଷ୍ୟ ହେଉଛି ଏକ ସଠିକ୍ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତ କରିବା। "ବିଶ୍ୱାସ ହିଁ ଗଣତନ୍ତ୍ରର ପ୍ରକୃତ ପୁଞ୍ଜି।" ନିର୍ବାଚନର ବୈଧତା ଉପରେ ପ୍ରଶ୍ନ ଉଠାଇବାର ପ୍ରୟାସ ଅଶାନ୍ତି ସୃଷ୍ଟି କରିପାରେ ଏବଂ ଅରାଜକତା ସୃଷ୍ଟିକାରୀ ଉପାଦାନଗୁଡ଼ିକୁ ଉତ୍ସାହିତ କରିପାରେ ବୋଲି ଚେତାବନୀ ଦିଆଯାଇଛି । ଅନୁଷ୍ଠାନଗୁଡ଼ିକର ସମାଲୋଚନା କରିବା ଏକ ଗଣତାନ୍ତ୍ରିକ ଅଧିକାର କିନ୍ତୁ ଅପମାନିତ କରିବା ଉଚିତ ନୁହେଁ।