ନୂଆଦିଲ୍ଲୀ: ଭୋଟର ତାଲିକାର ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ବିବାଦରେ ଥିବା ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି ।ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛନ୍ତି । ସିଇସିଙ୍କୁ ଦିଆଯାଇଥିବା ଜେଡ୍ ପ୍ଲସ୍ ( Z+) ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିଛନ୍ତି କେନ୍ଦ୍ର ସରକାର ।
ଜ୍ଞାନେଶ କୁମାରଙ୍କ ବାସଭବନ, ଭାରତୀୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଏବଂ ବ୍ୟକ୍ତିଗତ ସୁରକ୍ଷା ପାଇଁ ନିୟୋଜିତ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି । ଦିଲ୍ଲୀ ଏବଂ ଆଗ୍ରା ସ୍ଥିତ ସିଇସିଙ୍କ ବାସଭବନ ବାହାରେ ହୋଇଥିବା ବିରୋଧ ପ୍ରଦର୍ଶନ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ନୂଆ ମୋତି ବାଗ୍ କଲୋନୀସ୍ଥିତ ତାଙ୍କ ଘରର ଭିତର ଓ ବାହାର ଉଭୟ ସ୍ଥାନରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କଲୋନୀ ବାହାରେ ବହୁ ସଂଖ୍ୟକ ଅର୍ଦ୍ଧ-ସାମରିକ ବାହିନୀ ନିୟୋଜିତ କରାଯାଇଛି ଏବଂ ସେହି ଅଞ୍ଚଳକୁ ପ୍ରବେଶ କରୁଥିବା କିମ୍ବା ବାହାରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯାଇଛି।
ଏହା ବ୍ୟତୀତ, ଦିଲ୍ଲୀର ଅଶୋକ ରୋଡ୍ରେ ଥିବା ନିର୍ବାଚନ ଆୟୋଗ ମୁଖ୍ୟାଳୟର ଭିତର ଓ ବାହାର ଉଭୟ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ସହିତ ରାପିଡ୍ ଆକ୍ସନ୍ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଦିଲ୍ଲୀ ପୋଲିସର କର୍ମଚାରୀମାନଙ୍କୁ ମଧ୍ୟ ମୁତୟନ କରାଯାଇଛି।