କୋଲକାତା: ଭାରତୀୟ ଜନତା ପାର୍ଟୀ ପୁଣି ଥରେ ନନ୍ଦିଗ୍ରାମ ଆସନକୁ ଅକ୍ତିଆର କରିଥିବାବେଳେ ମୁସଲମାନ ବହୁଳ ରେଜିନଗର ଆସନରେ ମଧ୍ୟ ଗେରୁଆ ରଙ୍ଗ ଛାଇ ଯାଇଛି । ଏହି ଦୁଇଟି ଆସନ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ନନ୍ଦିଗ୍ରାମରେ ହସିରାନୀ ରଥ ଓ ରେଜିନଗରରେ ଶାଖାରଭ ସରକାର ବିଜୟ ମୁକୁଟ ପିନ୍ଧିଛନ୍ତି । ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଏହି ଫଳାଫଳ ଘୋଷଣା କରିଛନ୍ତି ।
ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ସ୍ୱର୍ଗତ ଚନ୍ଦ୍ରନାଥ ରଥଙ୍କ ମାଆ ହସିରାନୀ ରଥ ବିପୁଳ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ହସିରାନୀ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ମିଳନ ପ୍ରଧାନଙ୍କୁ ୧,୨୨,୭୫୩ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ହସିରାନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବ ମେଦିନୀପୁର ଜିଲ୍ଲାର ଏହି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଆସନ ଅଟେ । ସେ ମୋଟ ୧,୬୪,୪୨୭ ଭୋଟ୍ ହାସଲ କରିଥିବାବେଳେ, କଂଗ୍ରେସ ପ୍ରାର୍ଥୀ ମିଳନ ପ୍ରଧାନ ୪୧,୬୭୪ ଭୋଟ୍ ପାଇଛନ୍ତି।
ବିଜେପିର ଶାଖାରଭ ସରକାର ମୁସଲିମ-ବହୁଳ ରେଜିନଗର ନିର୍ବାଚନ ମଣ୍ଡଳୀରେ ୭୫,୭୪୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ରେଜିନଗର ନିର୍ବାଚନ ମଣ୍ଡଳୀରେ ମୁସଲିମ ସମ୍ପ୍ରଦାୟର ଲୋକସଂଖ୍ୟା ପ୍ରାୟ ୭୪ ପ୍ରତିଶତ ଅଟେ। ଏହାକୁ ଦୃଷ୍ଟିରେ ରଖି, ଏଠାରେ ବିଜେପିର ବିଜୟକୁ ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଶୁଭେନ୍ଦୁ ଅଧିକାରୀ ଉଭୟଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଦ୍ୱାରା ପରିଚାଳିତ ବିକାଶମୂଳକ ରାଜନୀତି ଉପରେ ଲୋକଙ୍କ ଆସ୍ଥାକୁ ପ୍ରତିଫଳିତ କରୁଛି। ସେ ପଶ୍ଚିମବଙ୍ଗରେ ନୂତନ ବିଜେପି ସରକାରଙ୍କୁ ସମର୍ଥନ କରିଥିବାରୁ ଜନସାଧାରଣଙ୍କୁ ପ୍ରଶଂସା କରିବା ସହ ଏହି ବିଜୟରେ ଯୋଗଦାନ ଦେଇଥିବା ଦଳୀୟ କର୍ମୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ।