ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଉତ୍ତର ପ୍ରଦେଶର ଯୋଗୀ ସରକାର ବଡ଼ ଉପହାର ଦେବାକୁ ଯାଉଛନ୍ତି । ନୋଏଡ଼ାର ଜେବର ବିମାନ ବନ୍ଦର ନାମ ପରିବର୍ତ୍ତନ କରାଯାଇ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର ନାମରେ ନାମିତ କରାଯିବ । ଶୁକ୍ରବାର ୟୁପି କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ନେଇ ନିଜେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ଉତ୍ତର ପ୍ରଦେଶ ରାଜ୍ୟ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନସେବାର ୨୫ ବର୍ଷର ଅବିରତ ଯାତ୍ରାକୁ ଅଭିନନ୍ଦନ ଜଣାଇଛି । ମୋଦୀଙ୍କ ସରକାର ସମୟରେ ଉତ୍ତର ପ୍ରଦେଶରେ ହୋଇଥିବା ଉନ୍ନତି ସମ୍ପର୍କରେ ଯୋଗୀ ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି । ୟୁପିର ମାଟିରୁ ମୋଦୀ ଦେଶର ନେତୃତ୍ୱ ନେଉଛନ୍ତି ।
୨୦୧୭ ପୂର୍ବରୁ ଉତ୍ତର ପ୍ରଦେଶର ପ୍ରଶାସନିକ ଶିଥିଳତା, ଅସୁରକ୍ଷା ଓ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ପାରଦର୍ଶିତା ଏବଂ ବୈଷୟିକ ପ୍ରୟୋଗ କରାଗଲା । ଆଇନ ବ୍ୟବସ୍ଥା ସୁଦୃଢ଼ ହେଲା ଏବଂ ନିବେଶର ବାତ୍ତାବରଣ ସୃଷ୍ଟି ହେଲା । ଡବଲ ଇଞ୍ଜିନ ସରକାରରେ ବିକାଶର ନୂଆ ଗତି ସ୍ଥାପିତ ହେଲା ବୋଲି ଯୋଗି ଆଦିତ୍ୟନାଥ କହିଛନ୍ତି । ୬୦ ହଜାର କୋଟି ବିନିମୟରେ ୨୪୮୩ କିଲୋମିଟରର ୪୨ଟି ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ରେଳ ଲାଇନର ସଂପ୍ରସାରଣ ହୋଇଛି । କୃଷିଠାରୁ ଆରମ୍ଭ ଶିକ୍ଷା କ୍ଷେତ୍ରରେ ବିକାଶ ମଧ୍ୟ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ମାର୍ଚ୍ଚ ୨୮ ତାରିଖରେ ଜେବର ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ଚାରି ପର୍ଯ୍ୟାୟରେ ନିର୍ମିତ ଏହି ବିମାନବନ୍ଦର ସମାପ୍ତ ହେବା ପରେ ଏସିଆର ସର୍ବବୃହତ ବିମାନବନ୍ଦର ହେବ । ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩,୩୦୦ ଏକର ଜମିରେ ନିର୍ମିତ ଏକ ଟର୍ମିନାଲ ଏବଂ ରନୱେ ଅନ୍ତର୍ଭୁକ୍ତ । ପ୍ରତିବର୍ଷ ପ୍ରାୟ ୧ କୋଟି ୨ ହଜାର ଯାତ୍ରୀ ଏଠାରୁ ଯାତ୍ରା କରିପାରିବେ।