ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିର୍ବାଚନ ପ୍ରକ୍ରିୟାକୁ ନେଇ ପୁଣି ଥରେ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରତିନିଧିମଣ୍ଡଳୀ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବା ପରେ ରାହୁଲ ଗାନ୍ଧୀ ଏକ ବିବାଦୀୟ ଓ ବଡ଼ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶରେ 'ଭୋଟ୍ ଚୋରି' ହେଉଥିବା ନେଇ ସେ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ରାଷ୍ଟ୍ରପତି ମଧ୍ୟ ଏହି ସତ୍ୟତାକୁ ଅସ୍ୱୀକାର କରିନାହାନ୍ତି।
ସାମ୍ବାଦିକମାନଙ୍କ ସହ କଥା ହୋଇ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ସାରା ଦେଶ ଜାଣିଛି ଯେ ନିର୍ବାଚନରେ ଭୋଟ୍ ଚୋରି ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ମୁଖ୍ୟ ସୂତ୍ରଧର ଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି।
ରାହୁଲ କହିଛନ୍ତି ଯେ ସେ ଆଶା କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଅଭିଯୋଗକୁ ସିଧାସଳଖ ଖାରଜ କରିବେ ଏବଂ ଦେଶର ନିର୍ବାଚନ ବ୍ୟବସ୍ଥା ନିରପେକ୍ଷ ବୋଲି କହିବେ। ମାତ୍ର ରାଷ୍ଟ୍ରପତି ଭୋଟ୍ ଚୋରି ଅଭିଯୋଗକୁ ଅସ୍ୱୀକାର ନକରି ଓଲଟି ଏହାର ପ୍ରମାଣ ମାଗିଥିଲେ। ରାଷ୍ଟ୍ରପତିଙ୍କ ଏପରି ଆଚରଣ ଦେଖି ସେ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି ରାହୁଲ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଇଣ୍ଡିଆ ମେଣ୍ଟ ନିର୍ବାଚନ କମିଶନଙ୍କ ସ୍ୱଚ୍ଛତା ଏବଂ ଭୋଟର ତାଲିକାରେ ହେଉଥିବା ଅନିୟମିତତାକୁ ନେଇ ସ୍ୱର ଉତ୍ତୋଳନ କରିଆସୁଛି। ରାହୁଲ ଗାନ୍ଧୀ ନିକଟରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର କେତେକ ଆସନରେ ଭୋଟର ସଂଖ୍ୟା ଯୋଗ ଓ ବିୟୋଗକୁ ନେଇ କେତେକ ପ୍ରମାଣ ଗଣମାଧ୍ୟମ ସାମ୍ନାରେ ରଖିଥିଲେ।