ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଉପନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଏବଂ ଇଣ୍ଡିଆ ମେଣ୍ଟର ମିଥ୍ୟା, ଭ୍ରମ ଓ ଅପପ୍ରଚାର ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି (ବିଜେପି) ଗୋଟିଏ ପରେ ଗୋଟିଏ ନିର୍ବାଚନରେ ସଫଳତା ହାସଲ କରୁଛି।
ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀର ଉପନିର୍ବାଚନ ସମେତ ରାଜସ୍ଥାନ ଏବଂ ତ୍ରିପୁରାର ପୌର ନିର୍ବାଚନରେ ଏନଡିଏକୁ ମିଳିଥିବା ବିଜୟ ସ୍ପଷ୍ଟ ପ୍ରମାଣିତ କରୁଛି ଯେ ଜନସାଧାରଣ ଇଣ୍ଡି ଆଲାଇନ୍ସକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଉପନିର୍ବାଚନ ଫଳାଫଳରେ ବିଜେପିର ପ୍ରଦର୍ଶନ ଅତ୍ୟନ୍ତ ଦମଦାର ରହିଛି। ପଶ୍ଚିମବଙ୍ଗର ଦୁଇଟିଯାକ ବିଧାନସଭା ଆସନରେ ଦଳ ବଡ଼ ବିଜୟ ହାସଲ କରିଛି। ନନ୍ଦୀଗ୍ରାମ ଆସନରୁ ବିଜେପି ପ୍ରାର୍ଥୀ ହାସିରାଣୀ ରଥ ପ୍ରାୟ ୧,୦୫,୮୬୯ ଭୋଟର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
ସେହିପରି ରେଜିନଗର ଆସନରେ ମଧ୍ୟ ଦଳୀୟ ପ୍ରାର୍ଥୀ ସଫଳତା ପାଇଛନ୍ତି। ଅନ୍ୟପଟେ କଂଗ୍ରେସର ଗଡ଼ କୁହାଯାଉଥିବା ନାଗାଓଁ ଆସନରେ ବିଜେପି ଐତିହାସିକ ପ୍ରଦର୍ଶନ କରି ଜିତିଛି, ଯାହାକୁ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ହାତେଇଥିଲା। ଗୃହମନ୍ତ୍ରୀ ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ଜନସମର୍ଥନ ହରାଇସାରିଥିବା ଏହି ବିରୋଧୀ ଦଳଗୁଡ଼ିକ ପ୍ରତ୍ୟେକ ପରାଜୟ ପରେ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ପ୍ରଶ୍ନ ଉଠାଉଛନ୍ତି।
ମାତ୍ର ଦେଶର ଜନସାଧାରଣ ସେମାନଙ୍କର ଏହି ପ୍ରକୃତ ଚରିତ୍ରକୁ ଚିହ୍ନିସାରିଛନ୍ତି। ସେଥିପାଇଁ ପୁଣି ଥରେ ପ୍ରଚଣ୍ଡ ଜନାଦେଶ ଦେଇ ବିଜେପି ଉପରେ ନିଜର ଅପୂର୍ବ ବିଶ୍ୱାସ ପ୍ରକଟ କରିଛନ୍ତି। ଏହି ସଫଳତା ପାଇଁ ସେ ପଶ୍ଚିମବଙ୍ଗ, ଅସମ, ରାଜସ୍ଥାନ, ତ୍ରିପୁରା ଓ ପୁଦୁଚେରୀର ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି ଏବଂ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।