ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ ବା ସିଇସିଙ୍କୁ ହଟାଇବା ଏତେ ସହଜ ନୁହେଁ । ଏହା ପଛରେ ଏକ ଲମ୍ବା ଏବଂ ବିସ୍ତୃତ ଦୀର୍ଘକାଳୀନ ସାମ୍ବିଧାନିକ ପ୍ରକ୍ରିୟା ସଂଶ୍ଳିଷ୍ଟ ରହିଛି । ଯେପରି ଦେଶର ପ୍ରଧାନ ବିଚାରପତି ଏବଂ ସୁପ୍ରିମକୋର୍ଟର ବିଚାରପତିଙ୍କୁ ପଦରୁ ହଟାଇବା ପ୍ରକ୍ରିୟା ରହିଛି ଠିକ୍ ସମାନ ପ୍ରକ୍ରିୟା ଏଠାରେ ମଧ୍ୟ ଲାଗୁ ହୋଇଥାଏ ।
ସିଇସି ପଦ ସାମ୍ବିଧାନିକ ଏବଂ ସ୍ୱତନ୍ତ୍ର ଅଟେ । ତାଙ୍କ ଉପରେ କୌଣସି ରାଜନୈତିକ ଚାପ ରହିନଥାଏ । ସୁପ୍ରିମକୋର୍ଟ ଭଳି ନିର୍ବାଚନ ପ୍ରକ୍ରିୟାର ସମସ୍ତ ନିଷ୍ପତ୍ତି ନେବାକୁ ସ୍ୱାଧୀନ । କିନ୍ତୁ ତାଙ୍କୁ ପଦରୁ ହଟାଇବାକୁ ହେଲେ ସଂସଦରୁ ପ୍ରକ୍ରିୟା ଆରମ୍ଭ ହୋଇ ରାଷ୍ଟ୍ରପତିଙ୍କ ନିକଟରେ ପହଁଚିଥାଏ । ସିଇସିଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ସହିତ ସଂସଦର ଉଭୟ ଗୃହ ଲୋକସଭା ଏବଂ ରାଜ୍ୟସଭାରେ ପ୍ରସ୍ତାବ ଆଗତ କରାଯିବ । ଏହି ପ୍ରସ୍ତାବରେ ଲୋକସଭାରୁ ଅତିକମରେ ୧୦୦ ସାଂସଦ ଏବଂ ରାଜ୍ୟସଭାର ୫୦ ସାଂସଦଙ୍କ ସ୍ୱାକ୍ଷର ରହିବା ବାଧ୍ୟତାମୂଳକ । ଏହା ପରେ ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ପ୍ରସ୍ତାବ ଉପରେ ବିଚାର କରି ସ୍ୱୀକାର କିମ୍ବା ଅସ୍ୱୀକାର ମଧ୍ୟ କରିପାରନ୍ତି ।
ପ୍ରସ୍ତାବରେ ଆସିଥିବା ଅଭିଯୋଗର ଯାଞ୍ଚ ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଥାଏ । ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଣେ ପ୍ରତିଷ୍ଠିତ ଆଇନଜୀବୀ ସଦସ୍ୟ ରହିବେ । ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷ ସହିତ ଅଭିଯୋଗର ଯାଞ୍ଚ ହୋଇଥାଏ ।
କମିଟି ଯାଞ୍ଚ ରିପୋର୍ଟ ଉଭୟ ଗୃହର ମୁଖ୍ୟଙ୍କୁ ପ୍ରଦାନ କରିବେ । ଯଦି କମିଟି ସିଇସିଙ୍କୁ ଦୋଷୀ ବୋଲି ଭାବନ୍ତି ଦେବେ ପଦରୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୁଏ । ଏହା ପରେ କମିଟି ଯାଞ୍ଚ ରିପୋର୍ଟ ଆଧାରରେ ପ୍ରସ୍ତାବ ଉପରେ ଗୃହରେ ଚର୍ଚ୍ଚା ହୋଇଥାଏ । ବହୁମତ ଆଧାରରେ ପ୍ରସ୍ତାବକୁ ପାରିତ କରାଯାଇଥାଏ ।
ପାରିତ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ପାଇଁ ପଠାଯାଏ । ରାଷ୍ଟ୍ରପତି ସମ୍ପୂର୍ଣ୍ଣ ଯାଞ୍ଚ କରିବା ପରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଜାରି କରନ୍ତି, ଅର୍ଥାତ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରନ୍ତି । ଏହା ପରେ କେନ୍ଦ୍ର ସରକାର ତାଙ୍କୁ ପଦରୁ ବହିଷ୍କୃତ କରିଥାଆନ୍ତି ।